ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୩୭ ତମ ଜାତୀୟ ଚକ୍ଷୁଦାନ ପକ୍ଷ (୨୫ ଅଗଷ୍ଟ ଠାରୁ ୮ ସେପ୍ଟେମ୍ବର-୨୦୨୨) ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଫରେଷ୍ଟ ଛକ ଠାରେ ଥିବା ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ନେତୃତ୍ୱ ଓ ପରିଚାଳନାରେ ଏହି ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଶିବିର କାର୍ଯ୍ୟକ୍ରମରେ “ଆଶ୍ରା” ର ୨୦ ଜଣ ଅନ୍ତେବାସୀଙ୍କ ଚକ୍ଷୁର ପରୀକ୍ଷା ଓ ଚିକିତ୍ସା କରାଯାଇଥିଲା।
ଚକ୍ଷୁ ଚିକିତ୍ସା ସହାୟକ ଶ୍ରୀ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୨୦ ଜଣ ବୃଦ୍ଧବୃଦ୍ଧା ଅନ୍ତେବାସୀଙ୍କ ଚକ୍ଷୁର ବିଭିନ୍ନ ପରୀକ୍ଷା କରିଥିଲେ।
ଏଥିରେ ୪ଜଣଙ୍କୁ ଚକ୍ଷୁର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ବେଳେ ୬ ଜଣଙ୍କୁ ଚଷମା ପ୍ରଦାନ କରା ଯାଇଥିଲା ଏବଂ ଅନ୍ୟମାନଙ୍କୁ ମାଗଣାରେ ଆଇ-ଡ୍ରପ ଓ ଔଷଧ ପ୍ରଦାନ କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ “ଆଶ୍ରା”ର ସୁପରଣ୍ଟେଣ୍ଡେଣ୍ଟ ଶ୍ରୀ ସୀତାକାନ୍ତ ଦାସ ଉପସ୍ଥିତ ରହି ପରିଚାଳନାରେ ବିଶେଷ ସହଯୋଗ ଯୋଗାଇ ଦେଇଥିଲେ।

Leave A Reply

Your email address will not be published.