ଭୁବନେଶ୍ୱର:ରାଜ୍ୟରେ ସୁବର୍ଣ୍ଣରେଖା ଓ ବୈତରଣ ନଦୀରେ ଅଧିକ ଜଳପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଆଜି ପୂର୍ବାହ୍ଣରେ ସ୍ଥିତି ସମୀକ୍ଷା କରିଛନ୍ତି । ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ,ସୁବର୍ଣ୍ଣରେଖା ଜଳସେଚନ ଡିଭିଜନର ମୁଖ୍ୟଯନ୍ତୀ,ବାଲେଶ୍ୱର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ,ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନ ଉପସ୍ଥିତ ଥିଲେ ।
ବନ୍ୟା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଅଧିକ ବ୍ୟାପକ କରିବା ନେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ୱାରୋପ କରିଥିଲେ । ବେଠକରେ ଆଲୋଚନା ଅନୁସାରେ ଆଜି ସକାଳ ସୁଦ୍ଧା ଝାଡଖଣ୍ଡର ଗାଲୁଡିହ ଜଳଭଣ୍ଡାରରୁ ୧୬ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଫଳରେ ଓଡିଶାରେ ସୁବର୍ଣ୍ଣରେଖା ନଦୀରେ ଆଜି ସଂଧ୍ୟାରୁ ଆସନ୍ତା କାଲି ୧୦ ଟା ଭିତରେ ଜଳସ୍ତର ବୃଦ୍ଧି ପାଇବ ଓ ସେଥି ଯୋଗୁଁ ବଡ ଧରଣର ବନ୍ୟାର ସମ୍ଭାବନା ରହିଛି । ଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ଅଂଚଳ ପ୍ରଭାବିତ ହେବ । ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ଆଗାମୀ ଦୁଇ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ନଦୀବନ୍ଧ ଦାୟିତ୍ୱରେ ଥିବା ଅଧିକାରୀ ଓ ଯନ୍ତ୍ରୀମାନେ ସତର୍କ ରହି ନିୟମିତ ତଦାରଖ କରନ୍ତୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି ।ତେଣୁ ଏହାକୁ ଦୃଷ୍ଟିରେ ରଖି ଜଳ ସଂପଦ ବିଭାଗର ଅଧିକାରୀ, କ୍ଷେତ୍ର ସ୍ତରରେ ଥିବା ଯନ୍ତ୍ରୀ ଓ କର୍ମଚାରୀ ଭାବେ ଅଧିକ ଚଳ ଚଞ୍ଚଳ ରହି ବନ୍ୟା ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ ଜନସାଧାରଣ ଭୟଭୀତ ନହେବାକୁ ଅନୁରୋଧ କରିବା ସହ ନଦୀଗୁଡିକରେ ବିଭିନ୍ନ ସମୟରେ ଜଳସ୍ତର ଓ ଜଳପ୍ରବାହ ସଂପର୍କରେ ସଠିକ ସୂଚନା ପ୍ରଦାନ କରିବାକୁ ମନ୍ତ୍ରୀବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ସବୁ ସମୟରେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଯୋଗାଯୋଗ କରାଯାଉଛି । ବନ୍ୟା ମୁକାବିଲା ପାଇଁ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରେ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀ ତଥା ଯନ୍ତ୍ରୀମାନଙ୍କୁ ପଠାଯାଇଛି ଓ ସେମାନେ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ଅନୁଧ୍ୟାନ କରି ବନ୍ୟା ପରିଚାଳନା କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.