ସରକାରଙ୍କ ଦ୍ଵାରା ନିର୍ମିତ ଚେକ୍ ଡେମ୍ ର ପାଚେରୀ ଭାଙ୍ଗି “ଓଁ କାର” ମନ୍ଦିର ପ୍ରାଙ୍ଗଣରୁ ମାଟି ଚୋରି କରିନେଲେ ଠିକାଦାର

10

ମନ୍ଦିର ପ୍ରାଙ୍ଗଣ ସୁରକ୍ଷାକୁ ନେଇ ଟ୍ରଷ୍ଟ ପକ୍ଷରୁ କ୍ଷୋଭ ପ୍ରକାଶ।


ବାରିପଦା/ସାରସକଣା ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଗୋଲପମଣି ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଚାକଦହ ଠାରେ ଥିବା “ଓଁ କାର” ମନ୍ଦିର ପ୍ରାଙ୍ଗଣର ସୁରକ୍ଷାକୁ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଉଠିଛି ପ୍ରଶ୍ନ ? ସରକାର ଓଡ଼ିଶାରେ ଥିବା ପ୍ରତ୍ୟେକ ମନ୍ଦିରର ପୁନଃ ନିର୍ମାଣ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଚାକଦହ ଠାରେ ଥିବା “ଓଁ କାର” ମନ୍ଦିରରେ ଦେଖିବାକୁ ମିଳିଛି ତାହାର ବିପରୀତ । ସୂଚନା ଅନୁସାରେ ଆଜିକୁ ପ୍ରାୟ ୧୦୦ ବର୍ଷର ନିର୍ମିତ ପୁରାତନ “ଓଁ କାର” ମନ୍ଦିର ସ୍ଥାପିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ମନ୍ଦିରର ପୁନଃରୁଦ୍ଧାର ହୋଇଥିଲା। ତେବେ ବର୍ତ୍ତମାନ ମନ୍ଦିର ପ୍ରାଙ୍ଗଣ ଅସୁରକ୍ଷିତ ହୋଇପଡିଛି। ସୂଚନା ମୁତାବକ ମନ୍ଦିର ପ୍ରାଙ୍ଗଣ କୁ ଲାଗି ଏକ କୁଚୁଲା ପାଣି ନାଳ ଯାଇଅଛି। ଉକ୍ତ ମନ୍ଦିର ପ୍ରଙ୍ଗଣର ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ଦ୍ଵାରା ମଧ୍ୟ ଏକ ଚେକଡେମ୍ ନିର୍ମାଣ କରାଯାଇଥିଲା। ସେତେ ପର୍ଯ୍ୟନ୍ତ ମନ୍ଦିର ପ୍ରାଙ୍ଗଣ ସୁରକ୍ଷିତ ରହିଥିଲା । ବର୍ତ୍ତମାନ ମନ୍ଦିର ଟ୍ରଷ୍ଟଙ୍କ ଅଭିଯୋଗ ଅନୁସାରେ ମନ୍ଦିରକୁ ଲାଗି ଯାଇଥିବା ଆରଡି ରାସ୍ତାର କୁଚୁଲି ନାଳ ଉପରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରାୟ ଟ. ୩,୮୯,୪୭,୯୮୬ ଲକ୍ଷ (ତିନି କୋଟି ଅଣାନବେ ଲକ୍ଷ ସତଚଳିଶି ହଜାର, ନଅ ଶହ ଛୟାଅଶି) ଟଙ୍କା ଅର୍ଥ ରାଶିରେ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ପୋଲ ରାସ୍ତା କୁ ସମାନ କରିବା ପାଇଁ ମନ୍ଦିର ପ୍ରାଙ୍ଗଣକୁ ଲାଗି ନିର୍ମାଣ ହୋଇଥିବା ଚେକଡେମ୍ ର ପାଚେରୀକୁ ରାତ୍ରି ସମୟରେ କାହାକୁ ନ ଜଣାଇ ଜେସିବି ମେସିନ୍ ସାହାଯ୍ୟରେ ଉକ୍ତ ଚେକ ଡେମ୍ ର ପାଚେରୀକୁ ଭାଙ୍ଗି ଟ୍ରାକ୍ଟର ଯୋଗେ ମନ୍ଦିର ପ୍ରଙ୍ଗଣରୁ ପ୍ରାୟ ୧୦ ଫୁଟ ଗଭୀରର ଗାତ ଖୋଳି ମାଟି ଚୋରି କରି ନେଇ ପୋଲ ଗାତ କୁ ସମାନ କରିଛନ୍ତି ପୋଲ ନିର୍ମାଣ କରୁଥିବା ଠିକାଦାର । ଫଳରେ ବର୍ଷା ଦିନରେ ବନ୍ୟା ପାଣି ଆସି ମନ୍ଦିର ପ୍ରଙ୍ଗଣର ମାଟି ଧୋଇ ହୋଇ ମନ୍ଦିର ପ୍ରାଙ୍ଗଣ କ୍ଷୂର୍ଣ୍ଣ ହେବା ସହିତ ବିରାଟ ପାଣି ନାଳ ସୃଷ୍ଟି ହୋଇ ମାଟି ସବୁ ଧୋଇ ହୋଇ ଯିବାର ଆଶଙ୍କା ରହିଛି। ଅନ୍ୟପକ୍ଷେ ପୋଲ ନିର୍ମାଣ କରୁଥିବା ଠିକାଦାର କିପରି ସରକାର ନିର୍ମାଣ କରୁଥିବା ଚେକ୍ ଡେମ ର ପାଚେରି କୁ କେଉଁ ନିୟମ ଭାବେ ମେସିନ ସାହାଯ୍ୟରେ ଭାଙ୍ଗି ତା ଭିତରେ ପଶି ମାଟି ଖୋଳି ନେଇଛନ୍ତି,ଏବଂ ତାଙ୍କୁ ସେ ଅଧିକାର ଦେଲା କିଏ ? ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏପଟେ ସରକାରଙ୍କ ଦ୍ଵାରା ନିର୍ମାଣ କରାଯାଇଥିବା ପୁରାତନ ଚେକ୍ ଡେମ୍ ର ପାଚେରି ଭାଙ୍ଗି ରାତ୍ରି ସମୟ ରେ ଠିକାଦାର ମାଟି ଚୋରି କରି ନେଇଥିବା କାର୍ଯ୍ୟକୁ ଟ୍ରଷ୍ଟ ପକ୍ଷରୁ ନିନ୍ଦା କରାଯାଇଛି। ଏଥିସହିତ ସରକାରଙ୍କ ପକ୍ଷରୁ ରାତ୍ରି ସମୟରେ ମାଟି ଚୋରି କରିଥିବା ଠିକାଦାରଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସରକାରଙ୍କ ଠାରେ ଦାବି କରାଯାଇଛି।ଯଦି ଏହାର କୌଣସି ପ୍ରକାର ସମାଧାନ ନ ହୁଏ ତେବେ ଆସନ୍ତା ଦିନରେ ବ୍ଳକ କାର୍ଯ୍ୟାଳୟ ରେ ଟ୍ରଷ୍ଟ ପକ୍ଷରୁ ଧାରଣା ଦେବାକୁ ମନ୍ଦିର ଟ୍ରଷ୍ଟ ଚେତାବନୀ ଦେଇଛି। ତେବେ ଉକ୍ତ ବିଷୟକୁ ସମ୍ବାଦ ମାଧ୍ୟମରେ ସରକାରଙ୍କ ଗୋଚରାର୍ଥେ ଟ୍ରଷ୍ଟ ପକ୍ଷରୁ ଜଣାଇବାକୁ ନେଇ ଗଣମାଧ୍ୟମ କୁ ଅନୁରୋଧ କରିଥିଲେ।ସରକାର ଠିକାଦାରଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ଅନ୍ୟ ଉପାୟ ଅବଲମ୍ବନ କରି ଚାପି ହେଇ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା। ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।

Leave A Reply

Your email address will not be published.