କା ରେ ଚାଲିଛି ପ୍ରଶାସନ :ଏତେବଡ ଜିଲ୍ଲା, ଦୁଇଟି ଗୁରୁ ଦାୟିତ୍ୱ ଜଣେ ଅଧିକାରୀଙ୍କୁ

10

  ଆରଟିଓ ଦାୟିତ୍ୱ ତୁଲାଉଛନ୍ତି ବାରିପଦା ଉପଜିଲ୍ଲାପାଳ ଆଖତାର, ଲୋକ ହନ୍ତସନ୍ତ 

ବାରିପଦା(ଦିଲ୍ଲୀପ ମହାନ୍ତି )– ମୟୂରଭଞ୍ଜ ଓଡ଼ିଶାର ସମସ୍ତ ଜିଲ୍ଲାଠାରୁ ବୃହତ୍ତମ ଜିଲ୍ଲା ଏବଂ ଏହା ଏକ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ଭାବେ ପରିଚିତ । ଜିଲ୍ଲାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ପ୍ରତ୍ୟେକ ଦିନ ଶତାଧିକ ଜନସାଧାରଣ ସେମାନଙ୍କର ବିଭିନ୍ନ ସମସ୍ୟା ଧରି ଏହି ଦୁଇ କାର୍ଯ୍ୟାଳୟକୁ ଆସିଥାନ୍ତି ଓ କାର୍ଯ୍ୟାଳୟର ମୁଖ୍ୟ ଆଞ୍ଚଳିକ ପରିବହନ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଭେଟି ସମସ୍ୟାଗୁଡ଼ିକୁ  ଉପସ୍ଥାପନ କରାଇଥାନ୍ତି । ମାତ୍ର ରାଜ୍ୟ ସରକାରଙ୍କ ଏହି ଦୁଇ ଗୁରୁତ୍ୱ ପୂର୍ଣ୍ଣ ଓ ବ୍ୟସ୍ତ ବହୁଳ କାର୍ଯ୍ୟାଳୟକୁ ଜଣେ ଅଧିକାରୀ ୭ ମାସ ହେବ ଦାୟିତ୍ୱରେ ରହି ଚଳାଇ ଆସୁଥିବାରୁ ସାଧାରଣ ଜନତା ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବେଳେ ସରକାରଙ୍କ ଏ ଦିଗରେ ନିଘା ନାହିଁ କି ପଘା ନଥିବାର ପରିଲକ୍ଷିତ ହୋଇଛି । 

            ମୟୂରଭଞ୍ଜ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ଦାଶ ଅବସର ଗ୍ରହଣ କରିବା ପରେ ୨୦୧୭ ଜାନୁଆରୀ ୩୧ଠାରୁ ବାରିପଦା ଉପଜିଲ୍ଲାପାଳ ମହମ୍ମଦ ଅବ୍ଦାଲ୍ ଆଖ୍ତରଙ୍କୁ ଆଞ୍ଚଳିକ ପରିବହନ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଟେକି ଦିଆଯାଇଛି । ଫଳରେ ଏହି ଦୁଇ କାର୍ଯ୍ୟାଳୟକୁ ପୂର୍ଣ୍ଣ ମାତ୍ରାରେ ପରିଚାଳନା କରିବା ସମ୍ଭବ ହୋଇପାରୁ ନଥିବାରୁ ଜନସାଧାରଣ ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପ୍ରାୟ ୩ କି.ମି.ରୁ ଅଧିକ ବ୍ୟବଧାନରେ  ହୋଇଥିବାରୁ କୌଣସି କୂଳରେ ହୋଇପାରୁ ନାହାନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସୁଥିବା ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବସୁଥିବା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଜନସାଧାରଣ ସାକ୍ଷାତ ନ ପାଇ ଘଣ୍ଟାଘଣ୍ଟା ଅପେକ୍ଷାରେ ରହୁଛନ୍ତି ଏବଂ ଅଧିକାଂଶ ସମୟରେ ସାକ୍ଷାତ ନ ପାଇ ଫେରି ଯିବାକୁ ପଡ଼ୁଛି । ଫଳରେ ଜନସାଧାରଣଙ୍କର ଏହି ପ୍ରକାରର ଅସୁବିଧାରୁ ଦଲାଲ ଅଧିକ ଫାଇଦା ଉଠାଉଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନଦରଦୀ ଶାସନ ବ୍ୟବସ୍ଥା ଜଣେ ଅଧିକାରୀଙ୍କ ହାତରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଜନତାଙ୍କ ଦରଦକୁ ଦ୍ୱିଗୁଣିତ କରାଇ ଦେଉଛି । 

 

Leave A Reply

Your email address will not be published.