“ଭୋଟର ହେବ ପାଇଁ ନୂଆ ଫର୍ମ ପୂରଣ ହେଲା ଅହୁରି ସରଳ”

0

ଅଗଷ୍ଟ ୧ରୁ ଲାଗୁ ସଂଶୋଧନର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳ ନେଲେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଫୁଲବାଣୀ (ଅଶୋକ ରାୟ ): କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକପ୍ରତିନିଧି ଆଇନ- ୧୯୫୦/୧୯୫୧ର ପରିବର୍ତ୍ତନ କରାଯାଇ ଭୋଟର ତାଲିକାରେ କେତେଗୁଡ଼ିଏ ସଂଶୋଧନ କରାଯାଇଛି, ଯାହାକି ଚଳିତ ୨୦୨୨ ମସିହା ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେଉଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ୱର ରୂପାନ୍ତରିତ ପଞ୍ଜୀକରଣ ଫର୍ମ କାର୍ଯ୍ୟକାରିତାକୁ ଶୁଭ ଉଦ୍‌ଘାଟନ କରି କହିଲେଯେ, ଯୁବ ବର୍ଗଙ୍କ ପାଇଁ ଭୋଟର ହେବା ଆହୁରି ସହଜ ହୋଇଗଲା । ଏବେ ନୂଆ ଫର୍ମ ପୂରଣ କରିବା ମଧ୍ୟ ଅହୁରି ସରଳ ହୋଇଗଲା । ଏବେ ଭୋଟର ପରିଚୟ ପତ୍ରକୁ ନିଜର ଆଧାର ସହିତ ସଂଯୋଗ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ ବୁନା ପ୍ରଧାନଙ୍କ ଆଲୋଚନାରୁ ଜଣାପଡ଼ିଛି ଯେ, ଏବେ ଫର୍ମ ନଂ-୬ ରେ କେବଳ ନୂତନ ଭୋଟରଙ୍କ ପଞ୍ଜୀକରଣ କରାଯିବ । ଫର୍ମ ନଂ-୬(କ) ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଫର୍ମ ନଂ-୬(ଖ)ରେ ଆଧାର ସହିତ ନିଜର ଭୋଟପରିଚୟ ପତ୍ର ସଂଯୋଗ ପାଇଁ ଆବେଦନ କରାଯାଇପାରିବ । ତେବେ, ଏହା ମଧ୍ୟ ବାଧ୍ୟତାମୂଳକ ନୁହେଁ । ସ୍ୱେଚ୍ଛାକୃତ ଭାବେ ଭୋଟରଙ୍କ ଠାରୁ ଆଧାର ବିବରଣୀ ସଂଗ୍ରହ କରାଯିବ । ତା. ୦୧.୦୪.୨୦୨୩ ରିଖ ସୁଦ୍ଧା ଭୋଟର ତାଲିକାଭୁକ୍ତ ହୋଇଥିବା ଭୋଟରମାନେ ସେମାନଙ୍କର ଆଧାର ନମ୍ବର ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କୁ ଜଣାଇବେ । ଏହି ଫର୍ମ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ ERONET, GARUDA, NVSP, VHA ଇତ୍ୟାଦିରେ ଅଗଷ୍ଟ ୧ ତାରଖ ପୂର୍ବରୁ ଉପଲବ୍ଧ ହୋଇସାରିଛି । ଫର୍ମ ନଂ-୭ ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏବେ ନାମ ବାଦ୍ ପାଇଁ ଫର୍ମ ଣଂ-୭ ସହ ମୃତ୍ୟୁ ପ୍ରମାଣ ପତ୍ର ସଂଲଗ୍ନ କରାଯିବ । ଫର୍ମ ନଂ-୮ରେ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ, ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ ନିମନ୍ତେ , ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ ନିମନ୍ତେ ଆବେଦନ କରିପାରିବେ । ଏବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଗୋଟିଏ ଯୋଗ୍ୟତାସୂଚକ ତାରିଖ ପରିବର୍ତ୍ତେ ୪ ଗୋଟି ଯୋଗ୍ୟତାସୂଚକ ତାରିଖ ଯଥା:-ଜାନୁଆରୀ ୧ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଏବଂ ଅକ୍ଟୋବର ୧ ତାରିଖ ରଖାଯାଇଛି ବୋଲି ସେ କହିଥିଲେ ।
ଉକ୍ତ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ରଙ୍କ ସମେତ ରାଜନୈତିକଦଳମାନଙ୍କର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.