ଭୁବନେଶ୍ୱର- ଖରିଫ ୨୦୨୧ ମସିହାର ବାକିଆ ବୀମାରାଶି ପ୍ରଦାନ ସମ୍ବନ୍ଧରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି । ବୀମା କମ୍ପାନୀମାନଙ୍କୁ ବାକିଆ କ୍ଷତିପୂରଣ ରାଶି ପ୍ରଦାନ ବାବଦରେ ଚାଷୀ ସଂଖ୍ୟାର ଆକଳନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୯ତାରିଖରେ ଏସ୍ଏଲ୍ଟିସି ବୈଠକ ଅନୁଷ୍ଠିତ ହେବା ଏଥିରେ କମ୍ପାନୀମାନେ ଜଣାଇଥିବା ଆପତ୍ତିର ପୁର୍ନବିଚାର କରି ନିଷ୍ପତ୍ତି ନିଆଯିବା ପାଇଁ କୃଷି ନିର୍ଦ୍ଦେଶକଙ୍କୁ କୁହାଯାଇଛି ଏବଂ ତଦନୁଯାୟୀ ବୀମା କମ୍ପାନୀମାନଙ୍କୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ବୀମା ପଞ୍ଜିକରଣ ଠାରୁ ବୀମାରାଶି ପ୍ରଦାନ କାର୍ଯ୍ୟକୁ ଅଧିକ ସୁସଂଗତ କରିବାପାଇଁ ଏକ ବୀମା ସେଲ୍ ଗଠନ କରିବା ନିମନ୍ତେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବୈଠକରେ ପ୍ରସ୍ତାବ ଦେଇଥିଲେ । ବୀମା କମ୍ପାନୀମାନଙ୍କ ଠାରୁ ଅମାନତ ଜମା ବାବଦରେ ବ୍ୟାଙ୍କ୍ ଗ୍ୟାରେଣ୍ଟି ରଖିବା ନିମନ୍ତେ ଆଲୋଚନା ହୋଇଥିଲା । ଯେଉଁ ପଞ୍ଚାୟତଗୁଡିକ ବୀମାରାଶି ପାଇବାପାଇଁ ଯୋଗ୍ୟ ବିବେଚିତ ହେବେନାହିଁ ତାହାର ଯଥୋଚିତ କାରଣ ଦେଖାଇବାକୁ ବୀମା କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।
ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବୀମା ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁଁ ଚଳିତ ବର୍ଷ ଖରିଦ ଋତୁରେ ପଞ୍ଜିକରଣ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରିବା ସହିତ ଏହାକୁ ଅଧିକ ସୁସଂଗତ କରିବା ନିମନ୍ତେ ବୈଠକରେ ଗୁରୁତ୍ୱଆରୋପ କରିଥିଲେ । ଲୋକସେବାଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ, ବିଧାୟକ ସର୍ବଶ୍ରୀ ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟ ଶଙ୍କର ମିଶ୍ର, କିଶୋର ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, କୃଷି ଉତ୍ପାଦନ କମିଶନର ସଞ୍ଜିବ ଚୋପ୍ରା,ସମବାୟ ସଚିବ ସଞ୍ଜୀବ କୁମାର ଚଢା, କୃଷି ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ, ଓଡିଶା ସମବାୟ ବ୍ୟାଙ୍କ୍ ଏମଡି ଗୋପବନ୍ଧୁ ଶତପଥୀଙ୍କ ସମେତ ବିଭିନ୍ନ ବୀମା କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.