ଟ୍ୱିଟର ଗାର୍ଲଙ୍କ ପ୍ରୟାସରେ ୫୫ ହଜାର ଫେରିପାଇଲେ ୧୧ ପ୍ରବାସୀ ଶ୍ରମିକ

0

ବରଗଡ : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ସ୍ବେଚ୍ଛାସେବୀ ଦୀପା ବାରିକଙ୍କ ନାଁ କୁ ନେଇ ବର୍ତ୍ତମାନ ଦେଶସାରା ଚର୍ଚ୍ଚା ହେଉଛି । ଓଡ଼ିଶାର ସାମାଜିକ ଗଣମାଧ୍ୟମ ଅଭିଯୋଗ ଶୁଣାଣି ପ୍ରକ୍ରିୟାରେ ଦୀପା ବର୍ତ୍ତମାନ ପର୍ଯ୍ୟନ୍ତ ୫ ହଜାରରୁ ଉର୍ଦ୍ଧ୍ବ ସମସ୍ୟାର ସମାଧାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି. । ସେ ଦେଶସାରା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଯିବାର ବିଭିନ୍ନ କାରଣ ରହିଛି ଯାହାକି ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜିଛି।  ଏହି ଘଟଣାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଡବଳଙ୍ଗ ଗାଁର ୧୧ ଜଣ ପ୍ରବାସୀ ଶ୍ରମିକ ଗତ ଜାନୁୟାରୀ ମାସରୁ କଣ୍ଟାବାଞ୍ଜି ଅଞ୍ଚଳର ଏକ ଦାଦନ ସର୍ଦ୍ଦାରଙ୍କ ମାଧ୍ୟମରେ ତେଲେଙ୍ଗାନା ରାଜ୍ୟ ୱାରଙ୍ଗଲ ଜିଲ୍ଲାର ନରସମପେଟ ଅଞ୍ଚଳର ଏକ ଇଟା ଭାଟି ମାଲିକଙ୍କ ପାଖକୁ କାମ କରିବାକୁ ଯାଇଥିଲେ । ଯିବା ସମୟରେ ପ୍ରତ୍ୟେକ ପ୍ରବାସୀ ଶ୍ରମିକମାନେ ଜଣପ୍ରତି ୩୫ ହଜାର ଟଙ୍କା ହିସାବରେ ପାଉଣା ନେବାପାଇଁ ସର୍ତ୍ତ ହୋଇଥିଲା ସେଥିମଧ୍ୟରୁ ୩୦ ହଜାର ଟଙ୍କା ଲେଖାଏଁ ଶ୍ରମିକ ମାନଙ୍କୁ ଅଗ୍ରୀମ ଭାବେ ଇଟାଭାଟି ମାଲିକ ଦେଇଥିଲେ । ୬ ମାସ କାମ କଲା ପରେ ଶ୍ରମିକ ମାନେ ନିଜ ଭିଟାମାଟିକୁ ଫେରିଥିଲେ କିନ୍ତୁ ମାଲିକ ବଳକା ୫ ହଜାର ଟଙ୍କା ଲେଖାଏଁ ଦେଇ ନ ଥିଲା । ଏହି ବିଷୟରେ ବରପାଲି ଅଞ୍ଚଳର ଜଣେ ବ୍ୟକ୍ତି ପୂର୍ଣ୍ଣାନନ୍ଦଙ୍କ ମାଧ୍ୟମରେ ଟ୍ୱିଟର ଗାର୍ଲ ଦୀପା ବାରିକ ଜାଣିପାରି ଥିଲେ । ଦୀପା ଶ୍ରମିକଙ୍କ ଏକ ଭିଡିଓ ଟ୍ୱିଟର ମାଧ୍ୟମରେ ତେଲେଙ୍ଗାନା ରାଜ୍ୟ ସରକାର ଏବଂ ପୋଲିସକୁ ଟ୍ୱିଟ କରିଥିଲେ । ଯାହା ଫଳରେ ତେଲେଙ୍ଗାନା ରାଜ୍ୟର ଶ୍ରମ ବିଭାଗ ଦୀପାଙ୍କ ସହ ଯୋଗାଯୋଗ କରି ସତ୍ୟାସତ୍ୟ ଅନୁଧ୍ୟାନ କରିଛନ୍ତି ଏବଂ ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ନାମ ଏବଂ ଆକାଉଣ୍ଟ ନମ୍ବର ମାଗି ବଳକା ୫ ହଜାର ଟଙ୍କା ଲେଖାଏଁ ଅନଲାଇନ ମାଧ୍ୟମରେ ପଇଠ କରିଛନ୍ତି ।ତେଲେଙ୍ଗାନା ରାଜ୍ୟର ଶ୍ରମ ବିଭାଗ ଅଫିସର ଦୀପା ଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି । ଅନ୍ୟ ରାଜ୍ୟରୁ ନିଜ ବଳକା ଟଙ୍କା ପାଇବା ପରେ ପ୍ରବାସୀ ଶ୍ରମିକ ମାନେ ଅତ୍ୟନ୍ତ ଖୁସି ଅନୁଭବ କରିବା ସହ ଦୀପାଙ୍କ ପ୍ରଶଂସାରେ ଶତମୁଖ ଅଛନ୍ତି ।

Leave A Reply

Your email address will not be published.