କିସରେ ନିଯୁକ୍ତି ପାଇଲେ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ

0

ଭୁବନେଶ୍ୱର: କିସରେ ୨୫୦ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଜ୍ୟ ସରକାରଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭଳି ଇପିଏଫ୍‍, ମେଡିକ୍ଲେମ୍‍, ଇଏସ୍‍ଆଇ ଆଦି ସମସ୍ତ ପ୍ରକାର ସୁବିଧା ପାଇବେ। ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ପ୍ରାପ୍ତ ଓ ଅଧିକାଂଶ ଜନଜାତି ଅଧ୍ୟୁଷିତ ଗ୍ରାମାଞ୍ଚଳର। ଏମାନେ ୫ଟି ଜିଲ୍ଲାରେ ଖୋଲିଥିବା କିସ୍‍ର ଶାଖା ସ୍କୁଲରେ ଯୋଗଦେବେ। କିସରେ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ନିମନ୍ତେ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତଦନୁସାରେ ପ୍ରାୟ ୧୮ ହଜାର ପ୍ରାର୍ଥୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୧ ହଜାର ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ନିମନ୍ତେ ଡକା ଯାଇଥିଲା। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୪ ହଜାର ପ୍ରାର୍ଥୀଙ୍କୁ ଡେମୋ କ୍ଲାସ୍‍ ନିମନ୍ତେ ଡକା ଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୧୧ଶହ ପ୍ରାର୍ଥୀଙ୍କୁ ସାକ୍ଷାତକାର ନିମନ୍ତେ ଡକା ଯାଇଥିଲା। ଶେଷରେ ୨୫୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ସମସ୍ତ ପ୍ରକ୍ରିୟା ପାଇଁ ଏକ ଚୟନ କମିଟି ଗଠନ କରାଯାଇଥିଲା। କିସ୍‍ ସର୍ବଦା ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ଗୁରୁତ୍ୱ ପ୍ରଦାନ କରିଆସିଛି। ଫଳରେ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ କିସ୍‍ କ୍ରମାଗତ ଭାବେ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛି। ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇ ଶ୍ରୀ ସାମନ୍ତ କହିଲେ, କିସ୍‍ ସର୍ବଦା ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ଆସିଛି। ଏଣୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶୃଙ୍ଖଳା ଓ ନିଷ୍ଠାର ସହ ସେମାନଙ୍କ ଦାୟିତ୍ୱ ନିର୍ବାହ କରିବେ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଥିଲେ।

Leave A Reply

Your email address will not be published.