ଲଗାଣ ବର୍ଷାରେ ଉଛୁଳିଲା କୁସୁମୀ ନଦୀ

0
  • କୁସୁମୀ ନଦୀରେ ବୁଡ଼ିଲା କୋରପିଠା ପମ୍ପ ହାଉସ

  • ଓଡ଼ଗାଁ ସିନେମାହଲ ଛକରେ ବର୍ଷାଜଳ ଜମି ଗମନାଗମନ ବାଧାପ୍ରାପ୍ତ

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ଶନିବାର ରାତିରେ ମୁଷଳ ଧାରାରେ ବର୍ଷା ଲାଗିରହିବା ଯୋଗୁଁ ଡ୍ରେନ ମାଧ୍ୟମରେ ସଠିକ୍ ଭାବରେ ବର୍ଷାଜଳ ନିଷ୍କାସିିତ ହୋଇପାରିନଥିଲା । ଫଳରେ ଓଡ଼ଗାଁ ସିନେମାହଲ ଛକରେ ବର୍ଷାଜଳ ଜମି ରହି ହ୍ରଦର ଭ୍ରମ ସ୍ରୁଷ୍ଟି କରିଥିବା ବେଳେ ଗମନାଗମନରେ ବାଧା ଉପୁଜିଥିଲା । ଏନେଇ ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ ଘଟଣା ସ୍ଥଳରେ ପହଞ୍ଚି ଏହାର ସ୍ଥାୟୀ ସମାଧାନ ନିମନ୍ତେ ପ୍ରତିବାଦ କରିବା ଉଦ୍ଦେଶ୍ୟରେ ଓଡ଼ଗାଁ ଥାନାଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ତେବେ ପ୍ରତିବାଦ ନୁହେଁ ବରଂ ମିଳିମିଶି ପ୍ରତିକାର କରିବା ପାଇଁ ଓଡ଼ଗାଁ ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ପରାମର୍ଶ ଅନୁସାରେ ଓଡ଼ଗାଁ ଥାନା ପୋଲିସ୍ ସବ ଇନସ୍ପେକ୍ଟର ଚକ୍ରଧର ସିଂଙ୍କ ନେତୃତ୍ବରେ ଆସିଥିବା ଓଡ଼ଗାଁ ପୋଲିସଙ୍କ ସହିତ ନିଜେ ଦିଲ୍ଲୀପ କୋଡିଧରି ଜଳ ନିଷ୍କାସନ ପାଇଁ ଚେଷ୍ଟା କରିଥିଲେ । ପରବର୍ତ୍ତୀ ସମୟରେ ଓଡ଼ଗାଁ ଏନ୍ଏସି ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଉପସ୍ଥିତିରେ ଏନ୍ଏସି ତରଫରୁ ଏକ ଜେସିବି ମେସିନ ମାଧ୍ୟମରେ ନିର୍ମାଣ ହୋଇଥିବା ଶିଡିକୁ ଭାଙ୍ଗିବା ସହିତ ମୋରମ, ଗୋଡି, ବାଲି ଦ୍ୱାରା ପୋତି ହୋଇଥିବା ଡ୍ରେନକୁ ଜେସିବି ମାଧ୍ଯମରେ ସଫା କରିବା ପରେ ବର୍ଷାଜଳ ନିଷ୍କାସିତ ହେଇଥିଲା । ଅନ୍ୟପକ୍ଷରେ ଡ୍ରେନ ଉପରେ ବେଆଇନ ନିର୍ମାଣ କାରଣରୁ ସର୍ବଦା ଏହିଭଳି ଅସୁବିଧା ସ୍ରୁଷ୍ଟି ହୋଇଥାଏ । ଏଥିପ୍ରତି ଧ୍ୟାନ ରଖିଲେ ଭବିଷ୍ଯତରେ ଜଳ ନିଷ୍କାସନରେ କୌଣସି ପ୍ରତିବନ୍ଧକ ସ୍ରୁଷ୍ଟି ହେବନାହିଁ ବୋଲି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରା ସୁଧାଂଶୁ ଶେଖର ବେହେରା କହିଥିଲେ । ସେହିପରି ଶନିବାର ଲଗାଣ ବର୍ଷା ଯୋଗୁଁ କୁସୁମୀ ନଦୀ ପୋଲ ଉପରେ ଦୁଇଫୁଟ ଉଚ୍ଚତାରୁ ଉର୍ଦ୍ଧ୍ବ ଜଳ ପ୍ରବାହିତ ହୋଇଥିବାରୁ ଓଡ଼ଗାଁ-ଗୋଡିପଲ୍ଲୀ-କୁରାଳ ରାସ୍ତା ଗମନାଗମନ ବିଛିନ୍ନ ହୋଇପଡିଥିଲା । ଏବଂ କୋରପିଠା ପମ୍ପ ହାଉସ ଭୁଷୁଡି କୁସୁମୀ ନଦୀରେ ଭାସିଯାଇଛି । ଅନ୍ଯପକ୍ଷରେ ବର୍ଷାଯୋଗୁଁ ଧାନକ୍ଷେତ ଗୁଡିକ ପ୍ରଭାବିତ ହୋଇଥିବା ଜଣାଯାଇଛି। କେତେକ ସ୍ଥାନରେ ମୁହାଣ ମାରିବାରୁ ଧାନ ଗଛ ପୋତି ହୋଇଥିବା ବେଳେ କେତେକ ସ୍ଥାନରେ ନଦୀକୂଳିଆ ଜମି ଗୁଡିକ ବାଲିରେ ପୋତି ହୋଇ ଯାଇଥିବା ଖବର ମିଳିଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବା ସହିତ ଅସ୍ଥାୟୀ ପମ୍ପ ହାଉସ ନିର୍ମାଣ କରି କୋରପିଠା ପାନୀୟ ଜଳଯୋଗାଣକୁ ନିୟମିତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.