ଅଣଧାନ ଚାଷ ଓ କୃଷି ଉଦ୍ୟୋଗ ସ୍ଥାପନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ

0

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଖରିଫ୍ ରୁତୁ ପାଇଁ ଧାନ ଏବଂ ସମସ୍ତ ପ୍ରକାର ଅଣଧାନ ଚାଷ ସହିତ ବିହନ ସାର କୀଟନାଶକ ଯୋଗାଣ ,ଜଳ ପରିଚାଳନା, ମୃତ୍ତିକା ପରୀକ୍ଷଣ, କୃଷି ଉଦ୍ୟୋଗ ସ୍ଥାପନ ଇତ୍ୟାଦି ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା I

ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରମାକାନ୍ତ ଦିଗାଲ ସମସ୍ତଙ୍କୁ ସ୍ଵାଗତ କରି ସଭାର ଆଭିମୁଖ୍ୟ ଏବଂ ଜିଲ୍ଲାର କୃଷିକ୍ଷେତ୍ରରେ ବିଗତ ବର୍ଷର ସଫଳତା ଓ ଆସନ୍ତା ଖରିଫ୍ ରୁତୁ ପାଇଁ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ଧାର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ l ଏହି ରୁତୁରେ ଜିଲ୍ଲାରେ ଧାନ ୭୦ ହଜାର ୫୦୦ସହ ହେକ୍ଟର , ଡାଲି ୧୫ହଜାର ୮୦୦ସହ ହେକ୍ଟର,ତୈଳବୀଜ ୩୨୯୦ ହେକ୍ଟର,କପା ୭୩୪୦ ହେକ୍ଟର, ପନିପରିବା ୨୮୮୩୦ ହେକ୍ଟର, ମସଲା ୧୦୦୦ହେକ୍ଟର ଏବଂ ଆଖୁ ୪୦ ହେକ୍ଟର ଜମିରେ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି l କୃଷି ଏବଂ ଆନୁସଙ୍ଗିକ ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ ଜିଲ୍ଲାରେ ଅଣଧାନ ଯଥା କପା, ଡାଲି, ତୈଳବୀଜ,ପନିପରିବା ,କଦଳୀ, ଛତୁ ଚାଷ ଓ ଉଦ୍ୟାନକୃଷି ଉପରେ ଗୁରୁତ୍ୱାରୋପ କରିଥିଲେl ଏହାଦ୍ୱାରା ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ l ଏହା ସହିତ ଜିଲ୍ଲାରେ ମୃତ୍ତିକା ପରୀକ୍ଷଣ କୁ ବ୍ୟାପକ କରିବା ସହିତ ବିଭିନ୍ନ ବର୍ଗର ହିତାଧିକାରୀ ମାନେ କୃଷି ଉଦ୍ୟୋଗ ସ୍ଥାପନା କରିବା ରେ ସହଯୋଗ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସମସ୍ତ ଅଧିକାରୀ ମାନଙ୍କୁ ପରିସଂଖ୍ୟାନ କେବଳ କାଗଜପତ୍ର ରେ ସୀମିତ ନ ରଖି ପ୍ରକୃତରେ କାର୍ଯ୍ୟକ୍ଷେତ୍ରରେ ପ୍ରଦର୍ଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ ଜିଲ୍ଲାର କୃଷକମାନେ ସାର ଯୋଗାଣ ଓ ଜଳସେଚନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାର ନିରାକରଣ କରିବା ପାଇଁ ଆନ୍ତରିକତା ସହିତ ପ୍ରଚେଷ୍ଟା କରିବା ପାଇଁ କହିଥିଲେ l ସୋନପୁର ଉପଜିଲ୍ଲାପାଳ ଡଃ ଇପ୍ସିତI ମିଶ୍ର ପ୍ରାକୃତିକ ଉପାୟରେ ଜମିର ଉର୍ବରତା ବୃଦ୍ଧି ଏବଂ ବିଭିନ୍ନ ମାଇକ୍ରୋ ନ୍ୟୁଟ୍ରଣ୍ଟ ର ବ୍ୟବହାର ସମ୍ପର୍କରେ ଚାଷୀ ମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ଵ ଦେଇଥିଲେ I

ଏହି ବୈଠକରେ ସୋନପୁର ଏବଂ ବୀରମହାରାଜପୁର ଉପ ଜିଲ୍ଲାପାଳଙ୍କ ସମେତ କୃଷି ବିଭାଗର ସମସ୍ତ ଅଧିକାରୀ ମାନଙ୍କ ସହିତ, ଉଦ୍ୟାନ କୃଷି, ଜଳ ସେଚନ, କେନାଲ ଡିଭିଜନର ଯନ୍ତ୍ରୀ, ଯୋଗାଣ ବିଭାଗ, ମାର୍କଫେଡ୍ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ l

Leave A Reply

Your email address will not be published.