ଜୀବନଜ୍ୟୋତି ଆଶ୍ରମରେ କୁନିକୁନି ଝିଅଙ୍କ ସହିତ ରଜ ଉତ୍ସବ ପାଳନ କଲା ଓଡ଼ିଶା-ମୋ ପରିବାର

0

ଭୁବନେଶ୍ୱର:ଓଡ଼ିଶାର ପାରମ୍ପରିକ ଗଣପର୍ବ ପହିଲିରଜକୁ ଓଡ଼ିଶା-ମୋ ପରିବାର ଏକ ନିଆରା ଢଙ୍ଗରେ ପାଳନ କରିଛି । ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ଜୀବନଜ୍ୟୋତି ଆଶ୍ରମ ଯେଉଁଠାରେ କୁନି କୁନି ଝିଅମାନେ ରହି ଆସୁଛନ୍ତି, ସେମାନଙ୍କ ସହିତ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ରଜ ଉତ୍ସବ ପାଳନ କରିଛନ୍ତି ।
ଏହି ଉତ୍ସବ ପାଳନ ପାଇଁ ଗତକାଲି ରଜ ସଜବାଜ ଦିବସରେ ଆଶ୍ରମରେ ରହିଆସୁଥିବା ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଝିଅମାନଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ସେମାନଙ୍କ ହାତରେ ମେହେନ୍ଦି ଲଗାଇବା ସହିତ ଭୁବନେଶ୍ୱର ସହିଦନଗର ସ୍ଥିତ ଜଣାଶୁଣା ୱୋଗ୍ ସେଲୁନର କେଶ ବିନ୍ୟାସକାରୀ ମାନଙ୍କ ଦ୍ୱାରା ସେମାନଙ୍କ କେଶକୁ କଟାଯାଇଥିଲା ଏବଂ ସାଜସଜପାଇଁ ଏକ କିଟ୍ ମଧ୍ୟ ପ୍ରଦାନ କରାଯାଇଥଲା । ସେହିପରି ସହିଦ ନଗରସ୍ଥିତ ମନିଷା ବୁଟିକ୍ ର ପୁଷ୍ପଜା ଧଳ ସେମାନଙ୍କ ପାଇଁ ପୋଷାକ ପ୍ରଦାନ କରିଥିଲେ ।
ତେବେ ଆଜି ସକାଳୁ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ପହଞ୍ଚି ସେମାନଙ୍କ କେଶବାନ୍ଧି, କୁଙ୍କୁମ, ଅଳତା ଲଗାଇ ସଜ କରାଇଥିଲେ । ପରେ ସକାଳ ୧୦ଟା ସମୟରେ ଓଡ଼ିଶା-ମୋ ପରିବାର ଆବାହକ ଏବଂ ତାଙ୍କ ସହଧର୍ମିଣୀ ସେଠାରେ ପହଞ୍ଚି ସେମାନଙ୍କୁ ପୋଡ଼ ପିଠା, ମଣ୍ଡା ପିଠା, ଆରିଷା ପିଠା ଏବଂ ଆମ୍ବ ଆଦି ଫଳ ଖୁଆଇ ସେମାନଙ୍କ ସହିତ ରଜ ପାଳନ କରିଥିଲେ । କୁନି କୁନି ପିଲାମାନଙ୍କ ମଧ୍ୟରେ କିଛି ପ୍ରତିଭାବାନ ପିଲାମାନେ ଗୀତ, ନାଚ ଆଦି ପରିବେଶଣ କରି ଉପସ୍ଥିତ ଥିବା ସମସ୍ତଙ୍କ ମନ କିଣି ନେଇଥିଲେ। ଓଡ଼ିଶା-ମୋ ପରିବାର ପକ୍ଷରୁ ଏକ ହାରମୋନିୟମ ଓ ଗୀତ ଗାଇବା ପାଇଁ ଏକ ମାଇକ୍ ଲାଗିଥିବା ସ୍ପିକର ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତ ନର୍ଦ୍ଦେଶକ ଶ୍ରୀ ମନ୍ମଥ ମିଶ୍ରଙ୍କ ଦ୍ୱାରା ପିଲାମାନଙ୍କ ସଙ୍ଗୀତ ଅଭ୍ୟାସପାଇଁ ଆଶ୍ରମର ପ୍ରତିଷ୍ଠାତା ଶ୍ରୀ ପ୍ରଫୁଲ୍ଲ ସେନାପତିଙ୍କୁ ପ୍ରଦାନ କରାଯାଇଥିଲା । ଏହି ମୁହୂର୍ତ୍ତରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନେ କୁନି କୁନି ଝିଅମାନଙ୍କ ଖୁସି ଦେଖି ଭାବବିହ୍ୱଳ ହୋଇଯାଇ ନିଜକୁ ଏହି ଖୁସିରେ ସାମିଲ କରିଥିଲେ।
ଏହାସହିତ ସେମାନଙ୍କ ଖେଳକୁଦ ପାଇଁ ମଧ୍ୟ ବିଭିନ୍ନ ସରଞ୍ଜାମ ପ୍ରଦାନ କରାଯାଇଥିଲା । ଏହି କୁନି ଝିଅମାନଙ୍କୁ ନେଇ ଜୀବନଜ୍ୟୋତି ଆଶ୍ରମକୁ ଏକ ଶୃଙ୍ଖଳିତ ଭାବେ ସଂଚାଳନ କରିଆସୁଛନ୍ତି ଆଶ୍ରମର ପ୍ରତିଷ୍ଠାତା ଶ୍ରୀ ପ୍ରଫୁଲ୍ଲ ସେନାପତି । ଏଥିପାଇଁ ସେଠାରେ ଉପସ୍ଥିତ ସମସ୍ତ ଅତଥିବୃନ୍ଦ ଶ୍ରୀ ସେନାପତିଙ୍କୁ ପ୍ରଶଂସା କରିଥିଲେ ।
ଓଡ଼ିଶା-ମୋ ପରିବାର ଆଇନ ଉପଦେଷ୍ଟା ତଥା ସୁପ୍ରିମ କୋର୍ଟର ବରିଷ୍ଟ ଓକିଲ ଶ୍ରୀ ଅବନୀ ସାହୁ, ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ଦୁର୍ଗା ସମାନ୍ତରାୟ, ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀ ସମୀର ପ୍ରଧାନ, ସ୍ୱାସ୍ଥ୍ୟ ଉପଦେଷ୍ଟା ଶ୍ରୀ ସତ୍ୟଜିତ ଦାଶ, ପୂର୍ବତନ କର୍ପୋରେଟର ଶ୍ରୀ ଅଶ୍ୱିନୀ ସୁନ୍ଦରରାୟ, କଣ୍ଠଶିଳ୍ପୀ ଶ୍ରୀମତୀ କୃଷ୍ଣପ୍ରିୟା ମିଶ୍ର, ସମାଜସେବୀ ସସ୍ମିତା ମଙ୍ଗରାଜ, ସୁଚିସ୍ମିତା ପୃଷ୍ଟି, ଯୁବନେତ୍ରୀ ଲଗ୍ନଦୀପା ମିଶ୍ର ଏବଂ ଅପୂର୍ବା ଅପରୂପା, ସୋନାଲୀ ପ୍ରିୟଦର୍ଶିନୀଙ୍କ ସମେତ କିଛି ସମାଜସେବୀ ଏବଂ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ରହି ରଜ ଉତ୍ସବ ପାଳନ ପୂର୍ବକ ଆଶ୍ରମର କୁନି କୁନି ପିଲାମାନଙ୍କ ସହିତ ନାଚି, ଗାଇ ଏବଂ ସେମାନଙ୍କୁ ଦୋଳିରେ ଝୁଲାଇ ସେମାନଙ୍କ ମୁହଁରେ ହସ ଫୁଟାଇଥିଲେ।

Leave A Reply

Your email address will not be published.