ଅଦିନିଆ ପୋଷ୍ଟରକୁ ନେଇ ବଲାଙ୍ଗୀରରେ ରାଜନୈତିକ ଝଡ଼

0

 ପୋଷ୍ଟର ମାରିଲା କିଏ? ତଦନ୍ତ ଦାବି କଲେ ସାଲୁଜା

ବଲାଙ୍ଗୀର:  ଅଦିନିଆ ପୋଷ୍ଟରକୁ ନେଇ ଏବେ ବଲାଙ୍ଗୀରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କାରଣ ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଫଟୋ ରହିଛି। ଆଉ ସେଥିରେ ଲେଖାଯାଇଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ। ହେଲେ ଫଟୋରେ ଦଳ କିଂବା କିଏ ଲଗାଇଛି ବ୍ୟକ୍ତିର ନାଁ ଲେଖାଯାଇ ନାହିଁ। ଆଉ ଏହାକୁ ନେଇ ଏବେ ତଦନ୍ତ ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା।ସେ କହିଛନ୍ତି, ଆଜି ଯାଏ ଏଭଳି ପୋଷ୍ଟର କେବେ ଦେଖିବାକୁ ମିଳିନଥିଲା। ଗୋଟିଏ ପଟେ ନବୀନ ପଟ୍ଟନାୟକ ଓ ଅନ୍ୟପଟେ ବିଧାୟକ ନରସିଂହ ମିଶ୍ର। ଏହା ବିରୋଧୀଙ୍କ କାମ ହୋଇଥିବ ନିଶ୍ଚିତ। ଏହାର ତଦନ୍ତ କରାଯାଉ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ତାଙ୍କର ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ମେଡିକାଲ କଲେଜ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ବିନା ହୋଇପାରିନଥାନ୍ତା। ଉଭୟଙ୍କ ଫଟୋ ରହିବା ସ୍ୱାଭାବିକ। କିନ୍ତୁ ପୋଷ୍ଟର କିଏ ଲଗାଇଛି ସେ ଜାଣିନଥିବା କହିଛନ୍ତି। ଆଉ ସ୍ପଷ୍ଟ କରିଛନ୍ତି, ସେ କଂଗ୍ରେସରେ ଅଛନ୍ତି ଓ ଶେଷ ଯାଏ ରହିବେ।ଅନ୍ୟପଟେ ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି କହିଛନ୍ତି, ପୋଷ୍ଟରରେ କୌଣସି ଦଳର ନାମ ଉଲ୍ଲେଖ ନାହିଁ। ଯେଉଁ ମେଡିକାଲ କଲେଜର ଫଟୋ ଦିଆଯାଇଛି ତାହା ବଲାଙ୍ଗୀରର ନୁହଁ ବୋଲି ସେ କହିଛନ୍ତି। ଏଭଳି ଏବେ ପୋଷ୍ଟରକୁ ନେଇ ସାରା ସହରରେ ଚର୍ଚ୍ଚା ଲାଗି ରହିଛି।

Leave A Reply

Your email address will not be published.