ସିଭିଲ ସର୍ଭିସ ପରୀକ୍ଷାରେ ୩୦୬ ରାଙ୍କ ରଖି ଦେବଗଡ଼ ପାଇଁ ଗୌରବ ଆଣିଲେ ସୌମ୍ୟରଞ୍ଜନ

0

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଆଜି ପ୍ରକାଶିତ ସିଭିଲ ସର୍ଭିସ ପରୀକ୍ଷା ଫଳରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଅନ୍ତର୍ଗତ କୁରଡ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ ୩୦୬ ରାଙ୍କ ପାଇଥିବା ଜଣାପଡିଛି। ଏହି ସଫଳତା ପାଇଁ ଆଜି ଦେବଗଡ଼ ଜିଲ୍ଲା ନିଜକୁ ଗୌରବାନିତ୍ଵ ମନେ କରୁଛି। ଜିଲ୍ଲା ସମସ୍ତ ଆବାଳବୃଦ୍ଧ ବନିତା ଖୁସି ମନାଇଛନ୍ତି।
ଗତ ଅକ୍ଟୋବର ମାସରେ ପ୍ରକାଶିତ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ସୌମ୍ୟରଞ୍ଜନ ୪ଥ ରାଙ୍କ ପାଇଥିଲେ। ବର୍ତ୍ତମାନ ସେ ସୁନ୍ଦରଗଡ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି।୧୯୯୬ ଅଗଷ୍ଟ ୨୯ତାରିଖ ରେ ଜନ୍ମିତ ସୌମ୍ୟ ଜଣ ମେଧାବୀ ଛାତ୍ର ଥିଲେ। ସେ ତାଙ୍କ ସ୍କୁଲ ଜୀବନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରୁ ଆରମ୍ଭ କରିଥିଲେ। ପରେ ସେ ବ୍ରହ୍ମପୁର ଏସଏସଭିମ +୨ ବିଜ୍ଞାନ, ରାଉରକେଲା ଏନଆଇଟି ରୁ ବିଟେକ ପାସ କରିବା ପରେ ହରିୟାଣା ରେ ହିରୋ ମୋଟର ରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। କରୋନା ସମୟରେ ଘରକୁ ଫେରି ଅନଲାଇନ୍ ଜରିଆରେ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ।ଓପିଏସସି ପରୀକ୍ଷାରେ ରାଜ୍ୟରେ ୪ଥ ସ୍ଥାନ ହାସଲ କରିବାପରେ ସେ ୟୁପିଏସସି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ତାଙ୍କ ବାପା ସଞ୍ଜୀବ କୁମାର ପ୍ରଧାନ ପାଲଲହଡ଼ାସ୍ଥିତ ମାଲ୍ୟଗିରି ମହାବିଦ୍ୟାଳୟ ରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ମା କଳ୍ପନା ପ୍ରଧାନ ଜଣେ ଗୃହିଣୀ ଅଟନ୍ତି। ସୌମ୍ୟ ଙ୍କ ଏ ସଫଳତା ପାଇଁ ତାଙ୍କ କୁରଡ ଗ୍ରାମ ଆଜି ଉତ୍ସବ ମୁଖରିତ ହେଉଥିବା ବେଳେ ତାଙ୍କ ପରିବାର ଓ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟିଛି। ସୌମ୍ୟ ଙ୍କ ଏହି ସଫଳତା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

Leave A Reply

Your email address will not be published.