ଡକ୍ଟର ସୂର୍ଯ୍ୟ ନାରାୟଣ ରଥ ଓଡ଼ିଶା-ମୋ ପରିବାରର କଳା ଓ ସଂସ୍କୃତି ବିଭାଗର ଉପଦେଷ୍ଟା

0

ଭୁବନେଶ୍ୱର : ସଙ୍ଗୀତ, କଳା, ଥିଏଟର ଇତ୍ୟାଦି କ୍ଷେତ୍ରରେ ପାରଦର୍ଶିତା ଥିବା ରାଜ୍ୟର ଅନେକ ପ୍ରତିଭା ଲୋକଲୋଚନ ଆଢୁଆଳରେ ରହିଛନ୍ତି, ସେମାନଙ୍କୁ ଲୋକଲୋଚନକୁ ଆଣି ସ୍ୱୀକୃତି ଦେବା ପାଇଁ ଓଡ଼ିଶା-ମୋ ପରିବାର ଲକ୍ଷ୍ୟ ରଖିଛି । ଆଗାମୀ ଦିନରେ କଳା, ନୃତ୍ୟ ଏବଂ ଥିଏଟର କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱ ଚିହ୍ନଟ କରାଯାଇ ଏକ ଡାଟାବେସ୍ ପ୍ରସ୍ତୁତି ହେବ । ସମଗ୍ର ଓଡ଼ିଶାରେ ଦାଶକାଠିଆ ଏବଂ ପାଲା କ୍ଷେତ୍ରରେ ବିଭିନ୍ନ ଅସଲି ସଂଗୀତ ଗୋଷ୍ଠୀର ପୃଷ୍ଠପୋଷକତା ତଥା ସେହି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ସହିତ ସଂଯୋଗ ସ୍ଥାପନ କରାଯାଇ ସେମାନଙ୍କୁ ଲୋକଲୋଚନକୁ ଅଣାଯିବାର ଲକ୍ଷ୍ୟ ରଖିଛି ଓଡ଼ିଶା-ମୋ ପରିବାର । ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କ୍ଲବ୍ (ଲାୟନ୍ସ/ରୋଟାରୀ) ସହିତ ଜଡିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯିବ । ଯେପରିକି: ଚିତ୍ରାଙ୍କନ, ଝୋଟି ଏବଂ ତର୍କ ପ୍ରତିଯୋଗିତା ଇତ୍ୟାଦି ।
ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ତଥା ଦକ୍ଷତା ପ୍ରଦର୍ଶନ କରିଥିବା ପୁରୀର ଡକ୍ଟର ସୂର୍ଯ୍ୟ ନାରାୟଣ ରଥଙ୍କୁ ଓଡ଼ିଶା ମୋ ପରିବାର କଳା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଭାବରେ ଦାୟିତ୍ଵ ପ୍ରଦାନ କରାଯାଇଛି । ସେ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଉଚ୍ଚ ପଦବିର ଅଧିକାରୀ ହୋଇ ନିଜ ଦାୟିତ୍ଵକୁ ସଫଳତାର ସହ ତୁଲାଇଛନ୍ତି । ସେ ଗତ ୧୨ ବର୍ଷ ହେବ ପୁରୀସ୍ଥିତ “ୱିନିଂ ସ୍ପୋର୍ଟିଂ” ନାମକ ଏକ ଅନୁଷ୍ଠାନରେ ଚେୟାରମ୍ୟାନ୍ ଭାବେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରିଆସିଛନ୍ତି । ଗତ ୧୯୮୫ ମସିହାରୁ ସେ ଦୈନିକ ଖବରକାଗଜ ‘ସମାଜ’ ରେ ବୈଷୟିକ ଉପଦେଷ୍ଟା ଭାବେ କାର୍ଯ୍ୟରତ ଥିଲେ ଏବଂ ଭବିଷ୍ୟତରେ ଓଡ଼ିଶା ମୋ ପରିବାରକୁ ତାଙ୍କର ମୂଲ୍ୟବାନ ସମୟ ଦେଇ ସମ୍ପୃକ୍ତ ଦାୟିତ୍ଵବୋଧକୁ ସୂଚାରୁ ରୂପେ ତୁଲାଇବେ ବୋଲି ଆଶା ବ୍ୟକ୍ତ କରିଛି ଓଡିଶା ମୋ ପରିବାର |

Leave A Reply

Your email address will not be published.