ଭୁବନେଶ୍ୱର/ଟିକିରି/ବୈକୁଣ୍ଠ ଦୁରିଆ : ଜନସମୁଦାୟଙ୍କ ଜୀବିକା ଉପରେ ସକାରାତ୍ମକ ପ୍ରଭାବ ପକାଇବା ଦିଗରେ ନିଜର ନିରନ୍ତର ପ୍ରୟାସ ଆଧାରରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ନବରଙ୍ଗପୁରସ୍ଥିତ ମେସର୍ସ ଶ୍ରୀ ଗଣେଶ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସହିତ ମିଶି ନୂଆପଡାଠାରେ ୨୦୨୨ ଏପ୍ରିଲ ୧୩ ତାରିଖରେ ଗାଡିଚାଳନା କ୍ଷେତ୍ରରେ କୁଶଳତା ବିକାଶ ତାଲିମ ଶୁଭାରମ୍ଭ କରିଛି । ପାରିପାର୍ଶ୍ଵିକ ଗ୍ରାମଗୁଡିକରେ ଆଗ୍ରହୀ ଯୁବବର୍ଗଙ୍କୁ ଡ୍ରାଇଭିଂ କୁଶଳତା ଓ ପ୍ରମାଣପତ୍ର ପ୍ରଦାନ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଏହା ସେମାନଙ୍କୁ ଆତ୍ମନିଯୁକ୍ତି ନିମନ୍ତେ ପଥ ପ୍ରଦର୍ଶନ କରିବ । ତାଲିମ କାର୍ଯ୍ୟକ୍ରମରେ ୩୦ ଜଣ ଗ୍ରାମାଞ୍ଚଳ ଯୁବକ ନାମ ଲେଖାଇଛନ୍ତି । ଏହା ଏକ ମାସ ଅବଧିର ତାଲିମ କାର୍ଯ୍ୟକ୍ରମ ଯେଉଁଠାରେ ଅଂଶଗ୍ରହଣକାରୀଙ୍କୁ ଥିଓରୀ ଏବଂ ପ୍ରାକ୍ଟିକାଲ ପ୍ରଶିକ୍ଷଣ ଜରିଆରେ ନିରାପଦ ଗାଡି ଚାଳନା କୌଶଳ ସମ୍ପର୍କରେ ଓତଃପ୍ରୋତ ଭାବରେ ତାଲିମ ଦିଆଯିବ । ତାଲିମ ବିଷୟବସ୍ତୁ ମଧ୍ୟରେ ମୌଳିକ କାର୍ ନିୟନ୍ତ୍ରଣ କୁଶଳତା, ଗାଡି ଚାଳନା କୌଶଳ, ଟ୍ରାଫିକ ନିୟମ ଏବଂ ଆଇନ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ତାଲିମ ପରବର୍ତ୍ତୀ ସମୟରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ।
ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍, ଉତ୍କଳ ଆଲୁମିନା ଏବଂ ଶ୍ରୀ ବିକାଶ ଚନ୍ଦ୍ର ବେନ୍, ଜିଏମ୍, ଆରଆଇସି, ରାୟଗଡା କାର୍ଯ୍ୟକ୍ରମ ଉଦ୍ଘାଟନ ଉତ୍ସବରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀ ସବ୍ୟସାଚୀ ସାହୁ, ଶିଳ୍ପ ବିକାଶ ଅଧିକାରୀ, ରାୟଗଡ. ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଏମ୍-ସିଏସ୍ଆର, ସିଆର୍ ଆଣ୍ଡ ସଷ୍ଟେନେବିଲିଟି, ଆର୍ ଆଣ୍ଡ ଆର୍, ଲ୍ୟାଣ୍ଡ, ଶ୍ରୀ ଜୟ ତିୱାରୀ, ହେଡ୍ ସେଫ୍ଟି, ଉତ୍କଳ ଆଲୁମିନା ଏବଂ ଶ୍ରୀ ସତ୍ୟବାଦୀ ଷଡଙ୍ଗୀ, ଚିଫ୍ ଗଣେଶ ଡ୍ରାଇଭିଂ ଟ୍ରେନିଂ ସ୍କୁଲ, ନବରଙ୍ଗପୁର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଭାବରେ ୟୁଏଆଇଏଲ୍ର ବରିଷ୍ଠ ପଦାଧିକାରୀ, ସିଏସ୍ଆର, ପ୍ରଶାସନ ଏବଂ ସିଆର୍ ଆଣ୍ଡ ସଷ୍ଟେନେବିଲିଟି ଟିମ୍ ସହିତ ଉପସ୍ଥିତ ଥିଲେ ।
ନିଜ ଅଭିଭାଷଣରେ ଶ୍ରୀ ବେଗ୍ ଅଂଶଗ୍ରହଣକାରୀଙ୍କୁ ଜୀବିକା ଉପାର୍ଜନ ଉତ୍ସ ଭାବରେ ଗାଡି ଚାଳନାକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ, କାରଣ ଏହି କ୍ଷେତ୍ରର ବିପୁଳ ଚାହିଦା ରହିଛି । ସେ ମଧ୍ୟ ଗାଡି ଚାଳନାର ସୁରକ୍ଷାଗତ ଦିଗ ଏବଂ ନୀତି ନିୟମ ଉପରେ ଗୁରୁତ୍ୱ ଦେବା ସହିତ ଏହାକୁ କଡାକଡି ଭାବରେ ଅନୁପାଳନ କରିବାକୁ ଅଂଶଗ୍ରହଣକାରୀଙ୍କୁ ପରାମର୍ଶ ଦେଇଥିଲେ । “ଉତ୍କଳ ଆଲୁମିନା ସର୍ବଦା nଏହି ଅଞ୍ଚଳର ଯୁବବର୍ଗଙ୍କ କୁଶଳତାର ଉନ୍ନତିସାଧନ ନିମନ୍ତେ ପ୍ରତିବଦ୍ଧ ରହିଛି ଏବଂ ଏହା ଆଗାମୀ ଦିନଗୁଡିକରେ ଏହିଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବ,” ବୋଲି ଶ୍ରୀ ମଜହର୍ ବେଗ୍ କହିଥିଲେ ।
ଗାଡିଚାଳନାକୁ ସେମାନଙ୍କର ଆତ୍ମନିଯୁକ୍ତି ଉତ୍ସ ଭାବରେ ଗ୍ରହଣ ପାଇଁ ପସନ୍ଦ କରୁଥିବା ଆଶାୟୀ ଗାଡିଚାଳକଙ୍କୁ ସମର୍ଥନ କରିବା ଦିଗରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଭୂମିକା ଉପରେ ଶ୍ରୀ ବେନ୍ ଗୁରୁତ୍ୱ ଦେଇଥିଲେ । ବ୍ୟବସାୟିକ ଉଦ୍ଦେଶ୍ୟରେ ଗାଡି ଖରିଦ କରିବାକୁ ଚାହୁଁଥିବାପ୍ରାର୍ଥୀମାନଙ୍କୁ ସମସ୍ତ ସମ୍ଭାବ୍ୟ ସମର୍ଥନ ଯୋଗାଇଦେବାକୁ ସେ ପ୍ରତିଶୃତି ଦେଇଥିଲେ । ଉତ୍କଳ ଆଲୁମିନାର ମହତ୍ ପ୍ରୟାସକୁ ସେ ପ୍ରଶଂସା କରିବା ସହିତ ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କ ଲାଭ ଉଦ୍ଦେଶ୍ୟରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସିଏସଆର୍ ଟିମ୍କୁ ନିଜର ଆନ୍ତରିକ ଧନ୍ୟବାଦ ଜଣାଇଥିଲେ ।
ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀ ବିଶିଷ୍ଟ ଅତିଥିମାନଙ୍କୁ ଉତ୍ସବରେ ଉପସ୍ଥିତି ପାଇଁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନା ସିଏସ୍ଆର ଟିମ୍ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post