ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ “ପ୍ରତିଜ୍ଞା” ର ସଫଳ ରୂପାୟନ ପାଇଁ ଏଣିକି ଜିଲ୍ଲାରେ ଥିବା ପ୍ରତି ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ , ୟୁଥ୍ ରେଡ୍କ୍ରସ , ସ୍କାଉଟ୍ ଓ ଗାଇଡ୍ ର ସ୍ଵେଚ୍ଛାସେବୀ ମାନେ ଦାୟିତ୍ବ ନେବେ ।
ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଏଥିପ୍ରତି ନିର୍ଦ୍ଦେଶ ପରେ ଜିଲ୍ଲାରେ ଥିବା ୧୩ ଗୋଟି ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ , ୟୁଥ୍ ରେଡ୍କ୍ରସ , ସ୍କାଉଟ୍ ଓ ଗାଇଡ୍ ର ସ୍ବେଚ୍ଛାସେବୀ ମାନଙ୍କୁ ଚିହ୍ନଟ କରାଯାଇ ଦୁଇଟି ଭାଗରେ ଶିଶୁ ସୁରକ୍ଷା ଉପରେ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ “ପ୍ରତିଜ୍ଞା” ର ଉଦ୍ଦେଶ୍ୟ ଥିଲା ଯେ କିଶୋରୀ ବାଳିକା ମାନଙ୍କୁ ନେଇଁ ଏକ ସଂଗଠନ ତିଆରି କରାଯିବ ଯେଉଁଥିରେ ସେମାନେ ସେମାନଙ୍କର ସୁରକ୍ଷା ପାଇଁ ନେତୃତ୍ବ ନେବେ । ଏହା ସହ ଜିଲ୍ଲାରେ ଶିଶୁ ମାନଙ୍କ ଉପରେ ଘଟୁଥିବା ନିର୍ଯ୍ୟାତନା ଏବଂ ଘଟିବାକୁ ଥିବା ଘଟଣା ଉପରେ ସୂଚନା ଦେବେ ଯାହାଦ୍ବାରା କି ଜିଲ୍ଲାର ଶତ ପ୍ରତିଶତ ଶିଶୁ ପାଖରେ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷାର ବାର୍ତ୍ତା ସହଜରେ ପହଞ୍ଚାଯାଇପାରିବ।
ଏହି କାର୍ଯ୍ୟକ୍ରମରେ ଆଜି ବାବାସାହେବ ଆମ୍ବେଦକର କଲେଜ , ଖଜୁରୀପଦା , ହିଲଟପ୍ କଲେଜ, ମୋହନା , ହରଭଙ୍ଗା ମହାବିଦ୍ୟାଳୟ, ଅଡ଼ବା, ମହେନ୍ଦ୍ରତନୟା ମହାବିଦ୍ୟାଳୟ , ରା.ଉଦୟଗିରି , ଇନ୍ଦିରାଗାନ୍ଧି ମେମୋରିଆଲ ମହାବିଦ୍ୟାଳୟ , ଚାନ୍ଦିପୁଟର ୧୫୦ ଜଣ ସ୍ବେଚ୍ଛାସେବୀଙ୍କୁ ନେଇଁ ଶିଶୁ ସୁରକ୍ଷାର ସମସ୍ତ ଦିଗ ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନି କକ୍ଷ, ରା.ଉଦୟଗିରି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇଥିବା ପ୍ରାୟ ସ୍ବେଚ୍ଛାସେବୀ ନାବାଳିକା ହୋଇଥିଲା ବେଳେ ନିଜର ସୁରକ୍ଷା ନିଜ ନେତୃତ୍ବରେ ନିଆଯିବା କଥାକୁ ସମସ୍ତଙ୍କ ଦ୍ବାରା ଆଗ୍ରହର ସହିତ ଗ୍ରହଣ କରାଯାଇଥିଲା।
ଉପରୋକ୍ତ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଚାଲିଥିଲା ବେଳେ ଏଥିରେ ଭାରତୀ ମିଶ୍ର , ଅଧ୍ୟକ୍ଷ, ମହେନ୍ଦ୍ରତନୟା ମହାବିଦ୍ୟାଳୟ , ରା.ଉଦୟଗିରି , ସମସ୍ତ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ , ୟୁଥ୍ ରେଡ୍କ୍ରସ , ସ୍କାଉଟ୍ ଓ ଗାଇଡ୍ ର ସଂଯୋଜକ ମାନେ ଯୋଗ ଦେଇ ସେମାନଙ୍କର ୟୁନିଟ୍ ମାଧ୍ୟମରେ ଶିଶୁ ଅଧିକାର ଏବଂ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ପାଖରେ କିପରି ପହଞ୍ଚିବ ତାହାରି ଉପରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଆକ୍ସନଏଡ଼ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ଓ ୟୁଏନ୍ଏଫ୍ ପିଏ ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଜୟପ୍ରକାଶ ବାଡ଼ତ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.