ମହିଳା ସ୍ନାତକ ମହାବିଦ୍ୟାଳୟରେ ଏନ୍.ଏସ୍.ଏସ୍.ଓ “ସଖୀ” ତରଫରୁ କନ୍ୟାଭୃଣ ସୁରକ୍ଷା ଏବଂ ମହିଳାଙ୍କ ଆଇନ ଗତ ଅଧିକାର ସଂପର୍କୀୟ କାର୍ଯ୍ୟକ୍ରମ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏନ୍.ଏସ୍.ଏସ୍. ବିଭାଗ ଏବଂ “ସଖୀ” ୱାନ୍ ଷ୍ଟପ୍ ସେଣ୍ଟର (କେନ୍ଦ୍ର ସରକାର ସହଯୋଗରେ) ତଫରୁ କନ୍ୟାଭ୍ରୁଣ ସୁରକ୍ଷା ଏବଂ ମହିଳାଙ୍କ ଆଇନଗତ ଅଧିକାର ସଂପର୍କରେ ଏକ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ହୋଇଯାଇଛି । ଏନ୍.ଏସ୍.ଏସ୍ ଅଧିକାରୀ ଡ. ଭାରତୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ସଂପର୍କରେ ସୂଚନା କରିଥିଲେ।
“ସଖୀ” ୱାନ୍ ଷ୍ଟପ୍ ସେଣ୍ଟର ର ପ୍ରଶାସିକା , ସମାଜସେବୀ ତଥା ଜଣାଶୁଣା ଓକିଲ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ମହିଳା ମାନଙ୍କର ସୁରକ୍ଷା ଓ ଆଇନଗତ ଅଧିକାର ସଂପର୍କରେ ବୁଝାଇ ଜଣାଇଥିଲେ ଯେ, ୨୦୧୩ ମସିହା ପରଠାରୁ ପୋଲିସ୍‌ ଷ୍ଟେସନ୍ ବ୍ୟତିତ ଇ- ମେଲ୍ ମାଧ୍ୟମରେ ବି ଜଣେ ଏଫ୍ ଆଇ ଆର୍ (FIR) ଦର୍ଜ କରିପାରିବ ଏହାଛଡା ୧୮୧ , ୧୦୯୮ ଆଦି ଟୋଲ୍ ଫ୍ରି ନମ୍ବର କିଭଳି ମହିଳା ଓ ଶିଶୁଙ୍କ ସୁରକ୍ଷା ଦେବା ଲାଗି କାର୍ଯ୍ୟକରୁଛି ବୁଝାଇ କହିଥିଲେ। ଏତଦ୍ ବ୍ୟତୀତ ସାଇବର କ୍ରାଇମ୍‌ ଦ୍ବାରା କିଭଳି ନବପିଢୀ ଯୁବତୀ ମାନେ ନିର୍ଯ୍ୟାତିତା ଓ ପିଡ଼ୀତା ହେଉଛନ୍ତି ସେ ବିଷୟରେ ମଧ୍ୟ କହିଥିଲେ।
ଡ. ଭାରତୀ ପାଣିଗ୍ରାହୀ ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ଛାତ୍ରୀମାନେ ଶିକ୍ଷିତ ହେଲେ ହେଁ ଏଭଳି ଯୌନଶୋଷଣରୁ ନିଜକୁ ଓ ସମାଜକୁ ମୁକ୍ତ କରିପାରିବେ। ନିଜ ଗ୍ରାମ, ପାରିପାଶ୍ୱିକ ପରିସରରେ କୌଣସି ଅନିୟମିତ ଯୌନଶୋଷଣକୁ ଅଣଦେଖା ନ କରି “ସଖୀ” ମାଧ୍ୟମରେ ଆଇନ୍‌ଗତ ପରାମର୍ଶ ନେବା ପାଇଁ କହିଥିଲେ।
ଶେଷରେ ଏନ୍.ଏସ୍.ଏସ୍. ସ୍ବେଚ୍ଛାସେବୀ ରଶ୍ମିତା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ ରାଜେଶ କୁମାର ପାତ୍ର ଏବଂ ଏଲ୍‌. ଅଶୋକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.