ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ରାସ୍ତା ଓ କୋଠାବାଡ଼ି ବିଭାଗ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ରାସ୍ତା ଓ କୋଠାବାଡି ବିଭାଗ ଅଧୀନରେ ହେଉଥିବା ରାସ୍ତା କାର୍ଯ୍ୟ ରେ ବିଭାଗୀୟ ଅଧିକାରୀ କିମ୍ବା କୌଣସି କର୍ମଚାରୀ ଉପସ୍ଥିତ ନରହିବା ଆଶ୍ଚର୍ଯ୍ୟ ର ବିଷୟ | ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ରାସ୍ତା ଓ କୋଠାବାଡି ବିଭାଗ ମଣିଜଙ୍ଗା ସବଡ଼ିଭିଜନ ଅଧୀନ କଟକ-ପାରାଦ୍ୱୀପ ରାସ୍ତାର ରାହାମା ବଜାର ର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ଏବଂ ରାହାମା ବଜାର ଠାରୁ ଷ୍ଟେସନ କୁ ରାସ୍ତା ର ମରାମତି କାର୍ଯ୍ୟ ପ୍ରତ୍ୟହ ସକାଳ ୬ ଟାରୁ ଆରମ୍ଭ ହେଉଛି , ହେଲେ ଆଶ୍ଚର୍ଯ୍ୟ ର ବିଷୟ କାର୍ଯ୍ୟାସ୍ଥଳୀରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଉପସ୍ଥିତ ନରହି କାର୍ଯ୍ୟ ଆରମ୍ଭ ହେବା | ରାହାମା ହେଉଛି ବ୍ୟବସାୟର ମୁଖ୍ୟ ପେଣ୍ଠସ୍ଥଳ ସଦାସର୍ବଦା ଜନଗହଳି ପୂର୍ଣ୍ଣ ସ୍ଥାନ | ଅପରପକ୍ଷରେ ସରକାରୀ ନିୟମ ଅନୁଯାୟୀ କୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଣ କାର୍ଯ୍ୟ ହେବ, ଉକ୍ତ କାର୍ଯ୍ୟ ପାଇଁ କେତେ ଅର୍ଥ ବ୍ୟୟ ବରାଦ ହୋଇଛି, କାହା ନାମରେ କାର୍ଯ୍ୟାଦେଶ ଅଛି ଏବଂ କାର୍ଯ୍ୟ ଆରମ୍ଭ ସହିତ ଶେଷ ତାରିଖ ସର୍ବସାଧାରଣ ଙ୍କ ପାଇଁ ଫଳକ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ | ହେଲେ ଏଠାରେ ତାର ସମ୍ପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି | ଏ ବିଷୟରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗାଯୋଗ କଲେ ସମ୍ପୃକ୍ତ ଯନ୍ତ୍ରୀ ତଥ୍ୟ ଦେବା ଦୂରର କଥା, ରହାମା ର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଙ୍କୁ ଯୋଗାଯୋଗ କରିବାକୁ ସିଧାସଳଖ ପରାମର୍ଶ ଦେଉଛନ୍ତି | ସହକାରୀ ଯନ୍ତ୍ରୀ ମହାଶୟ ସେହି ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଛତ୍ରଛାୟା ତଳେ ରହି ଦୁର୍ନୀତି କରିବାର ଶକ୍ତି ଯୋଗାଉ ନାହାନ୍ତି ତ? ନହେଲେ ଜଣେ ଯନ୍ତ୍ରୀ ଏମିତି କହିବା କେତେ ଯୁକ୍ତିଯୁକ୍ତ ତାହା ବିଚାର ଯୋଗ୍ୟ | ଅନ୍ୟ ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ସମ୍ପୃକ୍ତ ରାସ୍ତା ଓ କୋଠାବାଡି ବିଭାଗ ର ମଣିଜଙ୍ଗା ସବଡ଼ିଭିଜନ ରେ ଏକାଧିକ ଅବସରପ୍ରାପ୍ତ କର୍ମଚାରୀ ନିଜ ଗାଦି ମାଡି ବସିବା ସହିତ ରାସ୍ତା ଓ କୋଠାବାଡି ବିଭାଗର ଦୁର୍ନୀତିର ପ୍ରମୁଖ ଅସ୍ତ୍ର ପାଲଟିଛନ୍ତି | କାହିଁକି ଏବଂ କେଉଁ ଆଇନ ବଳରେ ଏକାଧିକ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ବ୍ୟବହାର କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି | ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି | ଆହୁରି ମଧ୍ୟ ଠିକା ନେଇଥିବା ସଂସ୍ଥା ରାହାମା ସ୍ଥିତ ମିନି ଷ୍ଟାଡିୟମ କୁ ଅକ୍ତିଆର କରି ତା ଭିତରେ ଜେସିବି ମେସିନ, ମିକ୍ସଚର ମେସିନ, ରଖିବା ସହିତ ଖେଳ ପଡିଆ ଭିତରେ ଥିବା ଏକ ଗୃହକୁ ନିଜ କବଜା ରେ ନେଇ ସେଠାରେ ଶ୍ରମିକ ମାନଙ୍କୁ ରଖୁଅଛି | ସାରଳା ମହାବିଦ୍ୟାଳୟ ର ମୁଖ୍ୟ ରାସ୍ତା କୁ ଅବରୋଧ କରି ସେଠାରେ ଗୋଡି,ବାଲି, ଗଦା କରିଥିବାରୁ ଛାତ୍ରଛାତ୍ରୀ ମାନେ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏସବୁ ବେନିୟମ କାର୍ଯ୍ୟ କରିବା ପାଇଁ ଠିକାଦାରକୁ କିଏ ଅନୁମତି ପ୍ରଦାନ କରାଗଲା ତାହା ବୁଝା ପଡୁନାହିଁ | ମିନି ଷ୍ଟାଡିୟମର ମୁଖ୍ୟଦ୍ୱାର ଏବଂ ଖେଳ ଗୃହ ର ଚାବି ଠିକାଦାର କେଉଁ ଠାରୁ ଆଣିଲା ତାହା ତଦନ୍ତ ସାପେକ୍ଷ | ଦେଖିବାକୁ ବାକି ରହିଲା ପ୍ରଶାସନ ଏ ଦିଗରେ କେବେ ଓ କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି |

Leave A Reply

Your email address will not be published.