“ମୁଁ ମିଛ କହୁଥିବା ପ୍ରମାଣ କରିଦେଲେ ମୁଁ ସଦସ୍ୟତାରୁ ଇସ୍ତଫା ଦେବି”
ପୁରୀ/ଅନିମେଶ ପଟ୍ଟନାୟକ : ପ୍ରବଳ ମାତ୍ରାରେ ସମାଲୋଚନା ପରେ ମୁହଁ ଖୋଲିଲେ ପୁରୀ ସାଂସଦ ପିନାକୀ ମିଶ୍ର । ମୁଁ ସଂସଦରେ କୌଣସି ମିଛ ବିବୃତ୍ତି ରଖିନାହିଁ । ଦସ୍ତାବିଜ ଯାହା ଅଛି ମୁଁ ସେଇକଥା କହିଛି । ବିଜେପିର କିଛି ଟ୍ରୋଲ ଗ୍ରୁପ ମତେ ବଦନାମ କରୁଛନ୍ତି ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।
କେହି ଯଦି ମୁଁ ମିଛ କହୁଥିବା ପ୍ରମାଣ କରି ଦେବେ ତେବେ ମୁଁ ସଦସ୍ୟତାରୁ ଇସ୍ତଫା ଦେବି ବୋଲି ଗଣମାଧ୍ୟମକୁ କହିଛନ୍ତି ପିନାକୀ । ମୋ ପାଖରେ ଏଏସଆଇର ଏନଓସି କପି ଅଛି । ସେଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଶୌଚାଳୟ ସହ ଭକ୍ତଙ୍କ ପାଇଁ ଅନେକ ସୁଵିଧା ।ଆଉ ଏହାର ସମସ୍ତ ଦସ୍ତାବିଜ ଓ ପ୍ରମାଣ ରହିଛି ।ଯାହା ନିର୍ମାଣ ହେଉଛି ତାହାର ଅନୁମତି ରହିଛି ଓ ଆଉ ଯାହା ନିର୍ମାଣ ହେବ ସେ ନେଇ ପ୍ରୋପଜଲ ପଠାଇବାକୁ ମଧ୍ୟ ଉଲ୍ଲେଖ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ସାଂସଦ ।
ନିକଟରେ ଭୂବନେଶ୍ବର ସାଂସଦ ଅପରାଜିତା ଶଡ଼ଙ୍ଗୀ ସଂସଦରେ ଶ୍ରୀମନ୍ଦିର କଥା ଉଠାଇଥିଲେ । ଶ୍ରୀମନ୍ଦିର ଚାରିପଟେ ବେଆଇନ ଖନନ କରାଯାଉଛି । ଫଳରେ ଶ୍ରୀମନ୍ଦିର ପ୍ରତି ବିପଦ ରହିଥିବା ଅଭିଯୋଗ କରିଥିଲେ ସାଂସଦ ଅପରାଜିତା । ଯାହାର ଯବାବ ରଖିବାକୁ ଯାଇ ଭାରି ସମାଲୋଚନାର ଶିକାର ହୋଇଛନ୍ତି ପିନାକୀ । ସେ ତାଙ୍କ ବିବୃତ୍ତିରେ ପୁରୀରେ କୌଣସି ଖନନ କାମ ହେଉନାହିଁ କେବଳ ୪ଟା ଟଏଲେଟ ବନାଯାଉଛି ବୋଲି କହିଥିଲେ । ଯାହା ସୋସିଆଲ ମିଡିଆରୁ ଆରମ୍ଭ କରି ଗଣମାଧ୍ୟମରେ ମଧ୍ଯ ଚର୍ଚ୍ଚାର ବିଷୟ ହୋଇଛି । ଚାରିଆଡେ ତାଙ୍କୁ ସମାଲୋଚନା କରାଯିବା ସହ କୁଶ ପୁତ୍ତଳିକା ଦାହ କରାଯାଇଛି ।