ସମ୍ ଅଲ୍ଟିମେଟରେ ଅତ୍ୟାଧୁନିକ ଇୟୁଏସ୍ ଅସ୍ତ୍ରୋପଚାର

0

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ଡାକ୍ତରମାନେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଅଲ୍ଟ୍ରାସାଉଣ୍ଡ (ଇୟୁଏସ୍) ବ୍ୟବହାର କରି ସଫଳତାର ସହ ଜଣେ ୨୭ ବର୍ଷୀୟ ରୋଗୀଙ୍କ ପାଚନ ଗ୍ରନ୍ଥିରେ ଜମା ହୋଇଥିବା ତରଳ ପଦାର୍ଥ ବାହାର କରିପାରିଛନ୍ତି।
ଏଭଳି ଅତ୍ୟାଧୁନିକ ଅସ୍ତ୍ରୋପଚାର ପଦ୍ଧତି ଦେଶର ମାତ୍ର ଅଳ୍ପ କେତେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ରହିଛି। ଏ ସମ୍ପର୍କରେ ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଅୟସକାନ୍ତ ସିଂହ କହିଛନ୍ତି ଯେ ଏହି ଇୟୁଏସ୍ ଦ୍ୱାରା ସିଷ୍ଟୋଗ୍ୟାଷ୍ଟ୍ରୋଷ୍ଟୋମୀ ଅସ୍ତ୍ରୋପଚାର ପଦ୍ଧତି ଅଧିକ ସହଜ ହୋଇପାରିଛି।
ପାରମ୍ପରିକ ଅସ୍ତ୍ରୋପଚାର ପଦ୍ଧତି ଦ୍ୱାରା ଶରୀରର ଯେଉଁ ଅଙ୍ଗଗୁଡିକ ଅନୁଧ୍ୟାନ କରିବା ସହଜ ହେଉ ନଥିଲା ଇୟୁଏସ୍ ଦ୍ୱାରା ତାହା ସହଜରେ ହୋଇପାରୁଛି। ଏହି ପଦ୍ଧତି ଅପେକ୍ଷାକୃତ ଅଧିକ ସୁରକ୍ଷିତ। ଏଥିରେ କମ୍ ରକ୍ତସାବ ହେବା ସହ ସଂକ୍ରମଣର ଆଶଙ୍କା ମଧ୍ୟ କମ୍ ଥାଏ। ପାରମ୍ପରିକ ଅସ୍ତ୍ରୋପଚାର ଅପେକ୍ଷା ଏହି ପଦ୍ଧତିରେ ରୋଗୀ ଅଧିକ ଶୀଘ୍ର ସୁସ୍ଥ ହୋଇଥାଏ ବୋଲି ଡାକ୍ତର ସିଂହ କହିଛନ୍ତି।
ସୁନ୍ଦରଗଡରୁ ଆସିଥିବା ସମ୍ପୃକ୍ତ ରୋଗୀଙ୍କ ତଳିପେଟରେ ଯନ୍ତ୍ରଣା ହେବା ସହ ପେଟ ଫୁଲିଯାଇଥିଲା ଓ ବାନ୍ତି ହେଉଥିଲା। ତାଙ୍କ ପେଟରେ ଜମିଥିବା ୨ ହଜାର ମିଲିଲିଟର ତରଳ ପଦାର୍ଥକୁ ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ପଦ୍ଧତିରେ ବାହାର କରି ମାତ୍ର ୨୪ ଘଂଟା ମଧ୍ୟରେ ୧୫୦ ମିଲିଲିଟରକୁ ହ୍ରାସ କରାଯାଇପାରିଥିଲା ବୋଲି ସମ୍ ଅଲ୍ଟିମେଟର ଭିଜିଟିଙ୍ଗ କନ୍ସଲଟାଂଟ ଡାକ୍ତର ଜିମି ନାରାୟଣ ପ୍ରକାଶ କରିଛନ୍ତି। ଅସ୍ତ୍ରୋପଚାରର ପରଦିନ ସମ୍ପୃ୍କ୍ତ ରୋଗୀ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.