ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବେ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ଜିଲ୍ଲା ପରିଷଦ ସଭାପତି/ଉପସଭାପତି
ଭୁବନେଶ୍ୱର:ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି/ଉପସଭାପତି ପଦବୀଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଗତ ଫେବୃଆରୀ ୧୫ ତାରିଖରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟର ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀ ନିମନ୍ତେ ତା.୧୨/୦୩/୨୦୨୨ରିଖରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ଓ ଉପାଧ୍ୟକ୍ଷ ପଦବୀ ନିମନ୍ତେ ଚଳିତ ତା.୨୩/୦୩/୨୦୨୨ରିଖରେ ନିର୍ବାଚନ ହେବ । ସେହିପରି ଚଳିତ ମାସତା.୧୩/୦୩/୨୦୨୨ରିଖରେ ସଭାପତି ପଦବୀ ନିମନ୍ତେ ଏବଂ ତା.୨୫/୦୩/୨୦୨୨ରିଖ ଦିନ ଉପସଭାପତି ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଉପରୋକ୍ତ ପଦବୀଗୁଡ଼ିକର ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀମାନେ ନିର୍ଦ୍ଧାରିତ ତାରିଖ ଦିନ ପୂର୍ବାହ୍ନ ୧୦.୩୦ମିରୁ ୧୧.୩୦ମିନିଟ୍ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ଦେଇ ପୁନର୍ବାର ଗ୍ରହଣ କରିବେ ଓ ୧୧.୩୦ମିରୁ ୧୨.୩୦ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ ଏବଂ ଅପରାହ୍ନ ୧ ଘଟିକା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ସେହିଦିନ ଅପରାହ୍ନ ୧.୩୦ମିରୁ ୪ ଘଟିକା ମଧ୍ୟରେ ଭୋଟଗ୍ରହଣ କରାଯିବ ଓ ପରେ ପରେ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ । ଉକ୍ତ ପଦବୀଗୁଡ଼ିକ ନିମନ୍ତେ ପରୋକ୍ଷ ନିର୍ବାଚନ ହେଉଥିବାରୁ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ଥିବା ସଭ୍ୟ/ସଭ୍ୟା କିମ୍ବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନେ କେହି ଗୃହ ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି । ଶାନ୍ତି, ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନିମନ୍ତେ ବିହିତ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।