ଭୁବନେଶ୍ୱର : ଜଳବାୟୁ ପରିବର୍ତନ ଏବଂ ପରିବେଶ ପ୍ରଦୂଷଣ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଉଚିତ୍ । କାରଣ ଶ୍ୱାସକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ରୋଗ ନିମନ୍ତେ ଏହି ସମସ୍ୟା ହିଁ ଦାୟୀ ବୋଲି ବୁଧବାର କହିଛନ୍ତି ବିଶିଷ୍ଟ ଡାକ୍ତର ପ୍ରଫେସର ଦିଲ୍ଲୀପ ମହାପାତ୍ର ।
ଶ୍ୱାସରୋଗ ତଥା ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜି ବିଶେଷଜ୍ଞ ଏବଂ ଆୟର୍ଲ୍ୟାଣ୍ଡର ଡୁଣ୍ଡଲାକ୍ ସ୍ଥିତ ଲୁଗ୍ ମେଡିକାଲ୍ ସେଂଟରର ନିର୍ଦ୍ଦେଶକ ପ୍ରଫେସର ମହାପାତ୍ର କହିଛନ୍ତି ଯେ ବାୟୁରେ ଘୂରି ବୁଲୁଥିବା ପ୍ରଦୂଷିତ କଣିକା ହିଁ କ୍ରନିକ୍ ଆବଷ୍ଟ୍ରକ୍ଟିଭ ପଲ୍ମୋନାରୀ ଡିଜିଜ୍ (ସିଓପିଡି) ରୋଗର ମୁଖ୍ୟ କାରଣ ଏବଂ ବିଶ୍ୱରେ ଏହି ରୋଗର ମୃତ୍ୟୁ ହାର ମଧ୍ୟ ଅଧିକ ।
ଏଥି ନିମନ୍ତେ ସ୍ୱଚ୍ଛ ବାୟୁର ଆବଶ୍ୟକତା ରହିଛି ଏବଂ ଏହାକୁ ଗୁରୁତର ସମସ୍ୟା ବୋଲି ଚିନ୍ତା କରିବା ଉଚିତ୍ ବୋଲି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ “ସିଓପିଡି ଆଣ୍ଡ ସିଲିଆରୀ ଡିସ୍ଫଙ୍କସନ୍” ଶୀର୍ଷକ ପ୍ରସଙ୍ଗରେ ବକ୍ତୃତା ଦେବା ଅବସରରେ ପ୍ରଫେସର ମହାପାତ୍ର ଏହା କହିଛନ୍ତି ।
ବାୟୁ ପ୍ରଦୂଷଣ ଯୋଗୁଁ ହିଁ ଅଧିକ ମାତ୍ରାରେ ବ୍ରୋଙ୍କାଇଟିସ୍ ସମସ୍ୟା ବୃଦ୍ଧି ପାଉଛି ଏବଂ ଏହା ଫୁସଫୁସକୁ ଅଧିକ ମାତ୍ରାରେ ନଷ୍ଟ କରୁଛି ବୋଲି କହିବା ସହ ଯେଉଁ ଶ୍ରମିକମାନେ ଅଧିକ ମାତ୍ରାରେ ଧୂଳି ଏବଂ ଧୂଆଁରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ସିଓପିଡି ସମସ୍ୟା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି ।
ଧୂମ୍ରପାନ କରିବା ଏକ ବଡ଼ ସମସ୍ୟା ଏବଂ ଆୟର୍ଲ୍ୟାଣ୍ଡ ସରକାର ସର୍ବସାଧାରଣ ସ୍ଥାନରେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି । ପ୍ରଫେସର ମହାପାତ୍ର କହିଛନ୍ତି ଯେ ଲୋକମାନେ ଧୂମପାନ ପରିତ୍ୟାଗ କରିବା ସହ ଅଧିକ ସଂଖ୍ୟାରେ ବୃକ୍ଷରୋପଣ କରିବା ଦରକାର । ସଚେତନତା ସୃଷ୍ଟି ଦ୍ୱାରା ହିଁ ଏହି ସମସ୍ୟାର ସମାଧାନ କରାଯାଇପାରିବ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ପ୍ରୋଭାଇସ୍ ଚ୍ୟାନସେଲର ତଥା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ପଲମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ତାଙ୍କୁ ସ୍ୱାଗତ କରିବା ସହ ବକ୍ତବ୍ୟ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.