ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେଶ ସ୍ଵାଧୀନ ହେବାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଗଜପତି ଜିଲ୍ଲା ମୋହନା ବ୍ଲକର ବହୁ ଦୁର୍ଗମ ଅଞ୍ଚଳର ଆଦିବାସୀ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ନିର୍ବାଚନ ଆସିଲେ ନେତା , ମନ୍ତ୍ରୀ ମାନେ ଆସି ଭୋଟରଙ୍କୁ ସମସ୍ତ ସମସ୍ୟାର ସମାଧାନ ଶୀଘ୍ର କରାଯିବ କହି ଧୂଆଁବାଣ ଛାଡି ଚାଲିଯାନ୍ତି। ଯଥା ପୂର୍ବଂ ତଥା ପରଂ ହୋଇ ରହିଯାଏ ଗ୍ରାମର ସମସ୍ୟା।
ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଠାରୁ ମାତ୍ର ୪ କିମି ଦୂରରେ ରହିଛି ଚାଞ୍ଚଡ଼ା ଗୁଡା ଗ୍ରାମ। ଏଠାରେ ବସବାସ କରନ୍ତି ୧୮ଘରର ୧୦୦ରୁ ଉର୍ଦ୍ଧ୍ଵ ଲୋକ। ଗାଁରେ କାହାରି ମଧ୍ୟ ନାହିଁ ପକ୍କା ଘର । ଲୋକେ ଝାଟିମାଟିର ଟିଣ ଛପର ଘରେ ଦହନୀୟ ଅବସ୍ଥାରେ ବାସ କରନ୍ତି। ଗ୍ରାମକୁ ଯିବାପାଇଁ ନାହିଁ ଭଲ ରାସ୍ତା । ଘାଟି ପାହାଡିଆ ଜଙ୍ଗଲୀ ପାଦ ଚଲା ରାସ୍ତାରେ ଗାଁ ଲୋକେ ପଞ୍ଚାୟତକୁ ଓ ବଜାର ସଉଦା କରିବାକୁ ସର୍ବଦା ଯିବା ଆସିବା କରିଥାନ୍ତି। କୌଣସି ଗର୍ଭବତୀ ମହିଳା ଓ ଜରୁରୀ ଚିକିତ୍ସା ପାଇଁ ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଦୋଳା କରି ୪ କିମି ନେବାପରେ ମୁଖ୍ୟ ରାସ୍ତାକୁ ଆସିଲେ ସେଠାରୁ ଗାଡିର ସୁବିଧା ମିଳିଥାଏ।
ପାଠ ପଢିବା ପାଇଁ ଶିକ୍ଷାର୍ଥୀମାନେ ସର୍ବଦା ଚାଲିଚାଲି ୪କିମି ଦୂରରେ ଥିବା ଗୋବିନ୍ଦପୁର ବିଦ୍ୟାଳୟକୁ ଆସିଥାନ୍ତି । ଜଙ୍ଗଲରେ ହିଁସ୍ରଜନ୍ତୁଙ୍କ ଭୟ ଥିବାରୁ ଅଭିଭାବକ ମାନେ ଛୋଟ ଛୁଆଙ୍କୁ ପାଠପଢ଼ିବା ପାଇଁ ଛାଡ଼ୁ ନ ଥିବା କହିଛନ୍ତି। ରାସ୍ତା ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାନୀୟ ପାଣିର ଅବସ୍ଥା ଗୁରୁତର । ଗ୍ରାମର ଉପକଣ୍ଠରେ ରହିଛି ଏକମାତ୍ର ପରିତ୍ୟକ୍ତ ଚୁଆଁ। ତାହାରି ଦୁଷିତ ଜଳକୁ ଗ୍ରାମବାସୀ, ଗାଇ, ଗୋରୁ, ଛେଳି,ମେଣ୍ଢା ପାନୀୟ ଭାବେ ବ୍ୟବହାର କରନ୍ତି। ଏହି ଦୂଷିତ ଜଳକୁ ବ୍ୟବହାର କରି ଗ୍ରାମର ବହୁ ଲୋକ ବିଭିନ୍ନ ସମୟରେ ଝାଡାବାନ୍ତି ଓ ପେଟଜନିତ ରୋଗର ଶୀକାର ହେଉଥିବା ନଜିର ରହିଛି।
ମୌଳିକ ସୁବିଧା ଟିକେ ପାଇବାପାଇଁ ଗ୍ରାମବାସୀ ବିଡିଓ , ଗଜପତି ଜିଲ୍ଳାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ଅଧିକାରୀଙ୍କୁ ଏବଂ ରାଜ୍ୟ ପ୍ରମୁଖ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଜଣାଇ ଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରିନି। ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଏଣୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.