ଜଗତସିଂହପୁର / ସୁମନ୍ତ କୁମାର ଦାସ : ଚଳିତ ପଞ୍ଚାୟତ ନିର୍ବାଚନରେ ଯେତେବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦଳୀୟ ଓ ସମର୍ଥିତ ପ୍ରାର୍ଥୀ ଚୟନରେ ବାଧାବିଘ୍ନ ଦେଖାଦେଇଛି, ସେତେବେଳେ ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତର ଗୋଟିଏ ପରିବାରରୁ ତିନି ସଦସ୍ୟ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ବଦିତା କରିବାକୁ ନାମାଙ୍କନପତ୍ର କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପରିବାରର ମୁଖ୍ୟ କୈଳାସ ଚନ୍ଦ୍ର ସ୍ଵାଇଁ ପଣ୍ଡୁଆ ପଞ୍ଚାୟତରୁ ସରପଞ୍ଚ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ବୋହୂ ସ୍ୱପ୍ନିତା ସ୍ୱାଇଁ ଜିଲ୍ଲା ପରିଷଦ ଓ ଝିଅ ଶୁଭଶ୍ରୀ ଶୁଭସ୍ମିତା ସମିତି ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ସୂଚନା ମିଳିଛି। ଏହି ପରିବାରରୁ ନିର୍ବାଚନ ଲଢୁଥିବା ୩ଜଣ ପ୍ରାର୍ଥୀଙ୍କ ସ୍ନାତକୋତ୍ତର ଯୋଗ୍ୟତା ରହିଥିବା ଜଣାପଡ଼ିଛି। କୈଳାସ ଓଡ଼ିଆରେ ସ୍ନାତକୋତ୍ତର ହୋଇଥିବାବେଳେ ବୋହୂ ସ୍ୱପ୍ନିତା ଗ୍ରାମୀଣ ବିକାଶରେ ସ୍ନାତକୋତ୍ତର ଓ ଝିଅ ଶୁଭଶ୍ରୀଙ୍କ ଜୀବ ବିଜ୍ଞାନରେ ସ୍ନାତକୋତ୍ତର ଯୋଗ୍ୟତା ରହିଛି । ଅନ୍ୟ ପକ୍ଷରେ ସ୍ୱପ୍ନିତା ନିର୍ବାଚନ ପାଇଁ ଉଚ୍ଚ ଦରମାର ଲୋଭନୀୟ ଚାକିରି ଛାଡ଼ିଥିବା ସୂଚନା ମିଳିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ନିମନ୍ତେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଥିବା କୈଳାସ ସ୍ଵାଇଁ କହନ୍ତି, ସରକାରଙ୍କ ବହୁ ଯୋଜନା ଥାଇ ମଧ୍ୟ ଜନପ୍ରତିନିଧି ଓ ପ୍ରାଶାସନିକ ଅବହେଳା ପାଇଁ ପଞ୍ଚାୟତବାସୀ ଯୋଗାଯୋଗ ପାନୀୟଜଳ ଓ ସ୍ଵାସ୍ଥ୍ୟ ଚିକିତ୍ସା ସମସ୍ୟା ଭୋଗୁଛନ୍ତି। ସ୍ବାଧୀନତାର ୭୫ ବର୍ଷ ପରେ ଚଳିତ ଜାନୁଆରୀରେ ମୁଣ୍ଡିଦାକୁ ଢଳେଇ ରାସ୍ତା ନିର୍ମାଣ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ବାଲଙ୍ଗ ଗାଁ ଭଲ ରାସ୍ତାଟିଏରୁ ବଞ୍ଚିତ ହୋଇରହିଛି । ସରକାରୀ ଆବାସ ଯୋଜନା ଥାଇ ମଧ୍ୟ ବହୁ ଲୋକଙ୍କର କଳାଘର ରହିଛି। ପଣ୍ଡୁଆ ପଞ୍ଚାୟତର ୮୦ ଭାଗ ଲୋକଙ୍କ ନିକଟରେ ଶୌଚାଳୟ ନ ଥିବାବେଳେ ଚିକିତ୍ସାଜନିତ ସୁବିଧା ଲୋକଙ୍କୁ ସହଜରେ ମିଳିପାରୁ ନଥିବା ସେ କହିଥିଲେ । ଯଦି ମୁଁ ନିର୍ବାଚନରେ ବିଜୟ ଲାଭକରେ , ତେବେ ମୋ’ ପଞ୍ଚାୟତର ଉନ୍ନତି କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିବି। ବିଭିନ୍ନ ସମାଜସେବା କାମରେ ଦୀର୍ଘଦିନରୁ ସମ୍ପୃକ୍ତ ରହିଥିବାରୁ ମୁଁ ନିଶ୍ଚିନ୍ତ ଯେ ମୋତେ ଲୋକମାନେ ନିଶ୍ଚୟ ସେମାନଙ୍କ ପାଇଁ କାମ କରିବାର ସୁଯୋଗ ଦେବେ ବୋଲି କୈଳାସ କହିଛନ୍ତି ।ସେହିପରି ସମିତିସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଶୁଭଶ୍ରୀ ଶୁଭସ୍ମିତା କହନ୍ତି, ନିର୍ବାଚନ ଜିତିଲେ ଅଞ୍ଚଳିକ ଉନ୍ନତି ସହିତ ଶାନ୍ତି ସଦ୍ଭାବନା ଓ ଭାଇଚାରା ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖୁଛି। ପ୍ରତିଟି ମଣିଷର ସୁଖଦୁଃଖରେ ସାମିଲ ହେବା ଜୀବନର ଲକ୍ଷ୍ୟ ହୋଇଥିବାରୁ ମୋ’ ବାପାଙ୍କ ପ୍ରେଗଣାରେ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଥିବା ସେ ପ୍ରକାଶ କରିଛନ୍ତି । ସେହିପରି ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଥିବା ଡ. ସଂଗ୍ରାମ କେଶରୀ ସ୍ବାଇଁଙ୍କ ପତ୍ନୀ ଓ କୈଳାସଙ୍କ ବୋହୂ ସ୍ଵସ୍ମିତା କହନ୍ତି ଆମ ପରିବାରରେ ମୋ ସ୍ବାମୀ ଓ ଶଶୂର ଲୋକଙ୍କ ସେବା କରିବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଛନ୍ତି | ତେବେ ରାଜନୀତିରେ ଯୋଗଦେଲେ ଲୋକଙ୍କ ପାଇଁ କାମ କରିବାରେ ଅଧିକ ସୁଯୋଗ ମିଳିବ ବୋଲି ମନେ କରି ମୋ’ ସ୍ବାମୀଙ୍କ ପ୍ରେରଣାରେ ମୁଁ ଚାକିରି ଛାଡି ଜିଲ୍ଲା ପରିଷଦ ଆସନରୁ ନିର୍ବାଚନ ଲଢିବାକୁ ନାମାଙ୍କନପତ୍ର ଦାଖଲ କରିଛି। ମୁଁ ଜିତିଲେ କୃଷି, ଜଳବାୟୁ, ପରିବେଶ, ସ୍ବାସ୍ଥ୍ୟ ସେବା ଓ ଗ୍ରାମୀଣ ମହିଳାଙ୍କ ବିକାଶ ଶାରରୀକ ଭିନ୍ନକ୍ଷମଙ୍କ ଉନ୍ନତି ପାଇଁ କାମ କରିବି ବୋଲି ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.