ଭଞ୍ଜନଗର ଏନଏସି ନଗରପାଳ ପଦ ଅସଂରକ୍ଷିତ ପରେ ବଢ଼ିଲା ଉତ୍କଣ୍ଠା: ଅଂଟା ଭିଡ଼ିଲେଣି ଆଶାୟୀ

0

ଭଞ୍ଜନଗର/ନିଲୁ ବିଷୋୟୀ : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପଦକୁ ଅଣସଂରକ୍ଷିତ ରଖିବା ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀ ଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଦୀର୍ଘ ୨୯ ବର୍ଷ ପରେ ଭଞ୍ଜନଗର ଏନଏସି ନଗରପାଳ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ଅଣସଂରକ୍ଷିତ ରହିଥିବା ରୁ ବିଭିନ୍ନ ଦଳରୁ ଆଶାୟୀ ଙ୍କ ତାଲିକା ଲମ୍ବିବା ଅନୁମାନ କରାଯାଉଛି। ୧୯୫୭ ମସିହାରେ ଗଠିତ ହୋଇଥିଲା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ। ମୋଟ ୧୫ ଟି ୱାର୍ଡ କୁ ନେଇ ଏହାର ସୀମା ପରିବ୍ୟାପ୍ତ ରହିଛି । ପ୍ରତି ନିର୍ବାଚନରେ ୱାର୍ଡ ସଭ୍ୟ ମାନେ ନିର୍ବାଚିତ ହେବା ପରେ ସେମାନେ ପରୋକ୍ଷ ଭାବେ ଚେୟାରମ୍ୟାନ ନିର୍ବାଚିତ କରି ଆସୁଥିଲେ। ଏଥର କିନ୍ତୁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ସ୍ଥିତି ରୋଚକପୂର୍ଣ୍ଣ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଭଞ୍ଜନଗର ଏନଏସିରେ ଏଯାବତ ଅଧ୍ୟକ୍ଷ ପଦ ପାଇଁ ଦୁଇ ଥର ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ଅଣ କଂଗ୍ରେସ ଦଳ ବାଜିମାତ କରିଛନ୍ତି। ୧୯୭୮ ରେ ଜନତା ଦଳରୁ ପ୍ରାର୍ଥୀ ହୋଇ ସ୍ବର୍ଗତ ରାମ ନାରାୟଣ ସିଂ ଏବଂ ୧୯୯୨ ରେ ଲଫତି ରେହମାନ ଅଧ୍ୟକ୍ଷ ପଦରେ ବିଜୟୀ ହୋଇଛନ୍ତି। ତା ପର ଠାରୁ ଆଉ ଆଉ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇ ନାହିଁ। ସଂରକ୍ଷଣ ତାଲିକା ପ୍ରକାଶ ପରେ ତିନି ପ୍ରମୁଖ ଦଳର ଆଶାୟୀ ମାନେ ପ୍ରତ୍ୟକ୍ଷ ନିର୍ବାଚନ କୁ ସାମ୍ନା କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତି ବି ଆରମ୍ଭ କରି ଦେଲେଣି। ଗୋଟିଏ ପଟେ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଉଷ୍ମ ହୋଇଥିବା ବେଳେ ପୌର ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଚର୍ଚ୍ଚା କୁ ଖୋରାକ ଯୋଗାଉଛି। ଏଭଳି ସ୍ଥିତିରେ ଆଗାମୀ ପୌର ନିର୍ବାଚନ ବେଶ ରୋଚକ ପୂର୍ଣ୍ଣ ହେବା ନେଇ ଏବେ ଠାରୁ ସ୍ୱଷ୍ଟ ହୋଇଗଲାଣି ।

Leave A Reply

Your email address will not be published.