ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମାଜସେବୀ ବିଜୟ କୁମାର ଜେନାଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସମାଜ ସେବୀ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ବାସିନ୍ଦା ବିଜୟ ଜେନାଙ୍କ ୮୨ ବର୍ଷ ବୟସରେ ବିୟୋଗ ହୋଇଯାଇଛି।
ତାଙ୍କରି ବିୟୋଗରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ସମାଜର ସଭାଗୃହ ଠାରେ
ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସଭାପତିତ୍ୱରେ ଏକ ଶୋକ ଶ୍ରଦ୍ଧଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
ବିଧାୟକ ସ୍ବର୍ଗତ ଜେନା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୯୭୭ ଓ ୧୯୮୦ମସିହାରେ ଦୁଇ ଦୁଇଥର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ।
ସ୍ବର୍ଗତ ଜେନାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ତଥାପି ସେ ସବୁବେଳେ ଚାଷୀ ଓ ଚାଷର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ । ସେ ବିଭିନ୍ନ ସମୟରେ ଚାଷୀ ମାନଙ୍କ ହିତ ପାଇଁ କେବେ ବିଡ଼ିଓ ତ କେବେ ତହସିଲଦାର ତ କେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଚାଷୀ ମାନଙ୍କ ସମସ୍ୟା ନେଇ ଅବଗତ କରାଇ ଆସୁଥିଲେ ।
ଡମ୍ବାପୁର ଜଳସେଚନ ପ୍ରକଳ୍ପର ଉନ୍ନତି ସହ ନିଜ ଅଞ୍ଚଳରେ ଥିବା ଗଜପତି ସାଗର ଓ କୃଷ୍ଣ ସାଗରର କିଭଳି ଉନ୍ନତି ହୋଇ ଚାଷୀଙ୍କ ଜମିକୁ ଜଳସେଚିତ ହେବ ଏବଂ ତାହାଦ୍ବାରା ଚାଷୀକୁଳ କିଭଳି ଉପକୃତ ହେବେ ସେ ଦିଗରେ ସ୍ବର୍ଗତ ଜେନା ସବୁବେଳେ ଚିନ୍ତା କରୁଥିଲେ ବୋଲି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତ ପୋଷଣ କରିଥିଲେ।
ଏହି ଶୋକସଭାରେ ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସଭାପତି ଭାବେ ଯୋଗଦାନ କରିଥିବାବେଳେ ଗୁରୁଗୌରବ ଗୋରଚନ୍ଦ୍ର ପଣ୍ଡା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଭାରତ ଭୂଷଣ ମହାନ୍ତି , ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଭାଗବତ ପାଢ଼ୀ , ସୂର୍ଯ୍ୟ ନାରାୟଣ ପଟ୍ଟନାୟକ , ଜଗଦୀଶ ମହାପାତ୍ର , ହରିମୋହନ ପଟ୍ଟନାୟକ, ତ୍ରିପତି ପ୍ରସାଦ ପଣ୍ଡା,ପଣ୍ଡିତ ନରସିହ ଗୌଡ , ଅରକ୍ଷିତ ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ବିଜୟ ଜେନାଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରି ତାଙ୍କପ୍ରତି ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ।

Leave A Reply

Your email address will not be published.