ଭୁବନେଶ୍ୱର :“ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ମନୀଷା ପ୍ରହରାଜ । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ପ୍ରତିଯୋଗୀ ମନୀଷା ଏହି ସଫଳତା ସାଉଁଟିଛନ୍ତି ।
ନୂଆଦିଲ୍ଲୀର ଏକ ତାରକା ହୋଟେଲ୍ରେ ଚାରି ଦିନ ବ୍ୟାପୀ ଚାଲିଥିବା ଜାତୀୟ ସ୍ତରୀୟ ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଗତ ଡିସେମ୍ବର ୨୪ ତାରିଖ ଦିନ ଏହାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା ବେଳେ ଶ୍ରେଷ୍ଠ ୮ ଜଣ ପ୍ରତିଯୋଗୀ ଫାଇନାଲ୍ ରାଉଣ୍ଡକୁ ମନୋନୀତ ହୋଇଥିଲେ ।
ଏହି ଅବସରରେ ଶ୍ରୀମତି ପ୍ରହରାଜ ଏହି ୮ ଜଣଙ୍କ ମଧ୍ୟରେ ରହିଥିବା ବେଳେ “ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରି ସୋଆ ପାଇଁ ଗୌରବ ଅର୍ଜନ କରିଛନ୍ତି । ସେହିପରି ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଆଗ୍ରିକଲଚରାଲ ସାଇନ୍ସେସ୍ ବିଏସସି (ଆଗ୍ରିକଲଚର) ବିଭାଗର ତୃତୀୟ ବର୍ଷର ଛାତ୍ର ଶ୍ରୀ ଅସିତ କୁମାର ସାମଲ୍ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା “ମିସ୍ ଆଣ୍ଡ ମିଷ୍ଟର ଓଡିଶା ୨୦୨୧” ରେ ମିଷ୍ଟର ଓଡ଼ିଶା ଟାଇଟଲ୍ ହାସଲ କରିଛନ୍ତି ।
ଗତ ଜାନୁଆରୀ ୨୦୨୧ରୁ ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଥିବା ବେଳେ ଓଡ଼ିଶାର ୧୨ଟି ଜିଲ୍ଲାରେ ଅଡିସନ୍ କରାଯାଇଥିଲା । ଗତ ମାର୍ଚ୍ଚ ମାସରେ ଏହାର ସେମିଫାଇନାଲ୍ ରାଉଣ୍ଡ ଅନ୍ଲାଇନରେ କରାଯାଇଥିବା ବେଳେ ଗତ ଡିସେମ୍ବର ୨୫ ତାରିଖରେ ଭୁବନେଶ୍ୱର ଠାରେ ଏହାର ଗ୍ରାଣ୍ଡ ଫିନାଲେ ଆୟୋଜନ କରାଯାଇଥିଲା ।
ଏହି ପ୍ରକ୍ରିୟାରେ ୨୪ ଜଣ ପୁଅ ଓ ଝିଅ ଫାଇନାଲକୁ ଉନ୍ନୀତ ହୋଇଥିଲେ । ଫାଇନାଲରେ ମିଷ୍ଟର୍ ଓଡିଶାର ଟାଇଟଲ୍ ଜିତିଥିଲେ ଅସିତ୍ । ଏହି କାର୍ଯ୍ୟକ୍ରମରେ ଅତିଥି ତଥା ବିଚାରକ ଭାବେ ବିଗ୍ରେଡିୟର ବି. ପି. ପଟ୍ଟନାୟକ, ସିନେ ଅଭିନେତ୍ରୀ ତମ୍ମନା ବ୍ୟାସ, ଅଭିନେତା ପୁଷ୍ପକ, ସମାଜସେବୀ ରାକେଶ କୁମାର ସାହୁ, ସସ୍ମିତା ଦାସ ଓ ଇକୋ ପ୍ଲାଜାର ଅଧ୍ୟକ୍ଷ ସ୍ମୃତି ଶ୍ୱେତା ଦାସ ଯୋଗ ଦେଇ ବିଜେତା ଚୟନ କରିଥିଲେ । ଆୟୋଜକଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ହେବ ବୋଲି ସୂଚନା ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.