ବାଲ୍ୟବିବାହ ବନ୍ଦ କଲା ଜିଲ୍ଲା ପ୍ରଶାସନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଳକର ଆଲାଝୋଲ ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ରାୟଗଡ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଟେରେସ୍କୋଭା ମଲ୍ଲିକ ଜାଣିବାକୁ ପାଇଥିଲେ । ଶ୍ରୀମତୀ ମଲ୍ଲିକ ଖବର ପାଇ ବାଲ୍ୟ ବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ।
ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍ ରେ ଆଇସିଡିଏସ୍‌ (ICDS) ସୁପରଭାଇଜର୍ ଶ୍ରୀମତୀ ନମିତା ମହାରଣା , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ଡି.ମଲ୍ଲିକ , “ସଖୀ” ୱାନ ଷ୍ଟପ ସେଣ୍ଟରର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ, ଏକ୍ସନ ଏଡ୍ ର ଜିଲ୍ଲା ପ୍ରତିନିଧି ବିକାଶ କୁମାର ମେହେର ଏବଂ ଚାଇଲଡ଼ ଲାଇନର ସଦସ୍ୟ ଟି. ସୁରେଶ କୁମାର ଓ ଭେଙ୍କେଟେଶ ସେନାପତି ପ୍ରଭୃତି ଉକ୍ତ ଗ୍ରାମକୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥିଲେ । ଏହା ପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟବିବାହର କୁ-ପ୍ରଭାବ ଉପରେ ବିଶଦ ଭାବରେ ବୁଝାଯାଇ ଥିଲା।
ଗ୍ରାମବାସୀଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ ୧୮ ବର୍ଷ ପୂରଣ ନହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି । ଟାସ୍କଫୋର୍ସ ଦ୍ୱାରା ଝିଅକୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥିତ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟବିବାହ ନିରୋଧ ଟାସ୍କଫୋର୍ସ ଦ୍ୱାରା ନିୟମିତ ପରାମର୍ଶ ହେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.