ହାଟଡିହୀ/ ମକରଧ୍ବଜ ଜେନା : ହାଟଡିହୀ ବ୍ଲକ ଇଞ୍ଚୋଳ ଗ୍ରାମର ସାମାଜିକ କର୍ମୀ ଚନ୍ଦନ ପଣ୍ଡାଙ୍କୁ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମିତ୍ତ ୨୦୨୦~୨୧ ବର୍ଷ ପାଇଁ ସମ୍ମାନଜନକ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଏକ ବର୍ଣ୍ଣାଢ୍ୟ ପରିବେଶରେ ଆନନ୍ଦପୁର ବନଖଣ୍ଡ ଅଧିକାରୀ ଅଜିତ୍ କୁମାର ଶତପଥି , ଆନନ୍ଦପୁର ବନାଞ୍ଚଳ ଅଧିକାରୀ ସୁମନ ମାଝୀ , ଦେଓଗାଁ ବନାଞ୍ଚଳ ଅଧିକାରୀ ସୁରେନ୍ଦ୍ର ନାଥ ହେମ୍ବ୍ରମ ଓ କନିଷ୍ଠ ଲେଖାପାଳ ହିମାଂଶୁ ଶେଖର ବଳଙ୍କ ଉପସ୍ଥିତରେ ଜଙ୍ଗଲ ବିଭାଗ ପ୍ରଦତ୍ତ ମାନପତ୍ର ପ୍ରଦାନ କରାଯାଇଥିଲା । ପୁରସ୍କାର ପ୍ରୋତ୍ସାହନ ରାଶିକୁ ବନ୍ୟଜନ୍ତୁ ସଂରକ୍ଷଣ ଓ ପ୍ରକୃତି ମା’ ର ସୁରକ୍ଷା ସହ ପରୋପକାରରେ ବିନିଯୋଗ କରିବେ ବୋଲି ଚନ୍ଦନ ମୁକ୍ତ ହୃଦୟରେ ପ୍ରକାଶ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ଶତପଥି ଆଗକୁ ଗ୍ରୀଷ୍ମଋତୁ ଆସୁଥିବାରୁ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନତା ,ଓ ବନ୍ୟପ୍ରାଣୀ ଙ୍କର ସୁରକ୍ଷା ସହ ମୈସୁମୀର ପ୍ରାରମ୍ଭରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ ।ପୁରସ୍କାର ଆଗକୁ ବଢିବାକୁ ପ୍ରେରଣା ଦିଏ ଓ ଏହା ଏକ ନୂଆ ଦାୟିତ୍ୱ ତେଣୁ ପରିବେଶ ଓ ପ୍ରକୃତି ପାଇଁ ଆପଣମାନେ ଅଧିକରୁ ଅଧିକ ଆକର୍ଷଣୀୟ ଓ ଉଲ୍ଲେଖନୀୟ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲେ । ସୂଚନା ଯୋଗ୍ୟ ଚନ୍ଦନ ଏକାଧାରରେ ବିଭିନ୍ନ ସମୟୋପଯୋଗି କବିତା, ପ୍ରବନ୍ଧ ଲେଖିବା ସହିତ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟରୁ ଓଡିଆରେ ସ୍ନାତକୋତ୍ତର ହାସଲ କରିଛନ୍ତି । ଭୁବନେଶ୍ୱରସ୍ଥିତ ସମ୍ବାଦ ଗଣମାଧ୍ୟମ ଓ ସଂସ୍କୃତି ଅନୁଷ୍ଠାନରୁ ସାମ୍ବାଦିକତାର ସ୍ନାତକୋତ୍ତର ହାସଲ ପରେ ଏବେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି । ଏହା ସହିତ ନିଜ ଗାଁ ରେ ଇଞ୍ଚୋଳ ବିକାଶ ମଞ୍ଚ ଜରିଆରେ ଗ୍ରାମ୍ୟ ମନ୍ଦିର , ପଡିଆ ଓ ଫାଙ୍କା ସ୍ଥାନରେ ବୃକ୍ଷରୋପଣ, ପଥପ୍ରାନ୍ତ ବନୀକରଣ, ଗୋ-ସମ୍ପଦର ସୁରକ୍ଷା ,ରକ୍ତଦାନ ଶିବିର, ବୈଖାଖରେ ଜଳଛତ୍ର , ଗଛରେ ଚଢେଇମାନଙ୍କ ପାଇଁ ଖାଦ୍ୟ ପାନୀୟ ବାକ୍ସ, ଜଳବାୟୁ ପରିବର୍ତ୍ତନ ଓ ଜଳ ସଂରକ୍ଷଣ ,ନୂତନ ଜଙ୍ଗଲ ସୃଷ୍ଟି, ପ୍ଲାଷ୍ଟିକ୍ ବର୍ଜନ ସଂକ୍ରାନ୍ତୀୟ କର୍ମଶାଳା ଆୟୋଜନ ,ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ଚକ୍ର ଏବଂ କର୍ମଶାଳା ଆୟୋଜନ କରିବା ସହିତ ସେହି ଅଞ୍ଚଳରେ ଶିକ୍ଷା ଓ ସ୍ୱସ୍ଥ୍ୟର ବିକାଶ ପାଇଁ ଅନବରତ ଚେଷ୍ଟା କରିଆସୁଛନ୍ତି ।ଇଞ୍ଚୋଳକୁ ସବୁଜ ଗାଁ ଭାବେ ପରିଣତ କରିବା ଲକ୍ଷ୍ୟରେ ତାଙ୍କର ଏହି ଅଭିଯାନ ଜାରି ରହିଛି । ସେହିପରି ପରିବେଶରେ ଯେପରି ଅମ୍ଳଜାନର ଅଭାବ ନରୁହେ ସେଥିପାଇଁ ସେ ନିଜେ ଚାରା ରୋପଣ କରିବା ସହ ବିବାହ, ବ୍ରତ, ଜନ୍ମଦିନରେ ଉପହାର ସ୍ୱରୂପ ଚାରା ପ୍ରଦାନ କରିବା ସହ ଅନ୍ୟକୁ ଚାରା ରୋପଣ କରିବା ପାଇଁ ଉତ୍ସାହିତ କରୁଆସୁଛନ୍ତି। ତାଙ୍କର ଏହି କୃତିତ୍ୱ ନିମନ୍ତେ ପରିବାର ,ପରିବେଶ ପ୍ରେମୀ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ସର୍ବସାଧାରଣରେ ଅନେକ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post