ୱାର୍ଲଡ ୟୁନିଭରସିଟି ଗେମ୍‍ ପାଇଁ କିଟ୍‍ ନୋଡାଲ୍‍ ସେଣ୍ଟର ମନୋନୀତ

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (ଡବ୍ଲୁୟୁଜି) ୨୦୨୨ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ନୋଡ଼ାଲ୍‍ ସେଣ୍ଟର ଭାବେ ମନୋନୀତ ହୋଇଛି । କିଟ୍‍ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ନୋଡ଼ାଲ୍‍ ସେଣ୍ଟର ପାଇଁ ମନୋନୀତ କରାଯାଇଛି । ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ନୋଡ଼ାଲ୍‍ ସେଣ୍ଟର ଭାବେ ମନୋନୀତ ହୋଇଛି । ଅମୃତସରସ୍ଥିତ ଗୁରୁ ନାନକ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ) ସ୍ପୋର୍ଟ୍‍ସ ବୋର୍ଡର ୩୧ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନୋଡ଼ାଲ୍‍ ସେଣ୍ଟର ମାଧ୍ୟମରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ବିଭିନ୍ନ ବିଭାଗ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭାରତୀୟ ବିଶ୍ୱବିଦ୍ୟାଳୟର ଦଳ ମନୋନୀତ କରାଯିବା ସହ ଚୟନ କ୍ୟାମ୍ପ ମଧ୍ୟ ଅନୁଷ୍ଠିତ ହେବ । ଏଆଇୟୁ ସ୍ପୋର୍ଟ୍‍ସ ବୋର୍ଡର ସାଧାରଣ ପରିଷଦ ବୈଠକରେ ଯୋଗ ଦେଇଥିବା ସଦସ୍ୟମାନେ କ୍ରୀଡ଼ାର ବିକାଶ ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଦିଗରେ କିଟ୍‍ ବିଶ୍ୱବିଦ୍ୟାଳୟ ଏବଂ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ୨୦୨୦ରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ କରାଇପାରିଥିବାରୁ ସଦସ୍ୟମାନେ କିଟ୍‍ ଓ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୨୨ରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଦ୍ୱିତୀୟ ସଂସ୍କରଣକୁ ଦୃଷ୍ଟିରେ ରଖି ଜାତୀୟ ଓ ଆଞ୍ଚଳିକ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ୨୦୨୧-୨୨ ଆରମ୍ଭ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୨୦ଟି ଏବଂ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୧୧ଟି କ୍ରୀଡ଼ା ପ୍ରତିଯୋଗିତା ଶେଷ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । କିଟ୍‍ ବିଶ୍ୱବିଦ୍ୟାଳୟକୁ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ନୋଡ଼ାଲ୍‍ ସେଣ୍ଟର ଭାବେ ମନୋନୀତ କରାଯାଇଥିବାରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରି ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଏବଂ ଏହାର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସଭାପତି ଡ. ଜି ଥିରୁଭାସାଗମ, ମହାସଚିବ ପ୍ରଫେସର ପଙ୍କଜ ମିତ୍ତଲ, ଯୁଗ୍ମ ସଚିବ କ୍ରୀଡ଼ା ଡ. ବଲ୍‍ଜିତ ସିଂହ ଶେଖାଓଁ ଉପସ୍ଥିତ ଥିବା ବେଳେ ପୂର୍ବାଞ୍ଚଳରୁ କିଟ୍‍ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶଙ୍କ ସହ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.