ପୁରୀ/ଅନିମେଶ ପଟ୍ଟନାୟକ; ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମୋ ସରକାର ସଂପର୍କିତ ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୋ ସରକାର ଅନ୍ତର୍ଗତ ଉପଲବ୍ଧ ସେବା ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଜନସାଧାରଣ ହିଁ ଶାସନ ବ୍ୟବସ୍ଥାର ମୁଖ୍ୟ ଓ ଗଣତନ୍ତ୍ରର ପ୍ରତିଟି ଅନୁଷ୍ଠାନ ସେମାନଙ୍କ ନିମନ୍ତେ ସମର୍ପିତ । ସେମାନଙ୍କୁ ଉତ୍ତମ ସେବା ଦେବା ସହ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗ୍ୟତା ଭିତ୍ତିରେ ସାମିଲ କରାଯିବ ।ବ୍ଲକ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କ ସବିଶେଷ ବିବରଣୀ ରଖାଯିବ । ସେମାନଙ୍କ ମୋବାଇଲ ନମ୍ବର ପଞ୍ଜିକରଣ କରାଯିବ । ଏଥିନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ସଂଲଗ୍ମ କୋଠରୀକୁ “ମୋ ସରକାର” ସ୍ବତନ୍ତ୍ର ସେଲ ଭାବେ ଖୋଲା ଯାଇଛି । ଏଥିନିମନ୍ତେ ୬ ଜଣ ଉଚ୍ଚ ଶିକ୍ଷିତା ଭିନ୍ନକ୍ଷମ ମହିଳାଙ୍କୁ ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତ ଦିଆଯାଇଛି ।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଡେପୁଟି କଲେକ୍ଟର ଶ୍ରୀମତୀ ଇତିଶ୍ରୀ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.