ଏଇ ତ ମଣିଷପଣିଆ : ପାଞ୍ଚ ବର୍ଷରେ ୧୧୩୮ ଟି ଶବ ବୋହିଲେଣି ଦୟା ବାରିକ

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ସଂପ୍ରତି ଦୁନିଆରେ ମାନବିକତା ମରିମରି ଯାଉଥିବାରୁ ଅନେକ ସମୟରେ ଶବ ବୋହିବାକୁ ୪ କାନ୍ଧ ମିଳୁନାହିଁ। ଆଉ କିଛି ସମୟରେ ଆମ୍ୱୁଲାନ୍ସ ପହଞ୍ଚିନଥିବାରୁ କେହି କେହି ନିଜ କାନ୍ଧରେ, ଆଉ କେତକ ସମୟରେ ସାଇକେଲ, ଟ୍ରଲି ଇତ୍ୟାଦି ବୋହି ନେବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ସେହିଭଳି ବର୍ତ୍ତମାନ ବ୍ୟସ୍ତ ଜୀବନ ଯୋଗୁଁ କେହି ଆତ୍ମୀୟସ୍ବଜନଙ୍କ ମୃତ୍ୟୁ ଘଟିଲେ ସଂପର୍କୀୟ ବା ସାଙ୍ଗସାଥୀ ମରଶରୀର ସହ ଶ୍ମଶାନ ଘାଟ ପର୍ଯ୍ୟନ୍ତ ଯିବାକୁ କାହା ନିକଟରେ ସମୟ ନଥାଏ। ସେହିଭଳି ପରିସ୍ଥିତିରେ ଗୁଣପୁର ବାବୁଲି ନଗରରେ ରହୁଥିବା ଦୟାନିଧି ବାରିକ ସ୍ୱର୍ଗଦ୍ୱାର ରଥରେ ଏକାକୀ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୧୩୮ଟି ଶବ ମାଗଣାରେ ବୋହି ରେକର୍ଡ ସୃଷ୍ଟି କରିଛନ୍ତି।
କେବଳ କୋରାନା କାଳରେ କେହି ଆତ୍ମୀୟସୃଜନ ନିଜ ସଂପର୍କୀୟଙ୍କ ମର ଶରୀରରକୁ ଭୟରେ ନଛୁଇଁ ଦୂରକୁ ଚାଲି ଯାଉଥିବା ବେଳେ ଦୟା ବାରିକ ଏକାକୀ ସାହସର ସହିତ ନିଜ ଜୀବନକୁ ବାଜି ଲଗାଇ ପିପିଟି କିଟ୍ ପରିଧାନ କରି ୧୬୦ଟି ଶବକୁ ପ୍ରତ୍ୟକ୍ଷ ଭାବେ ଦାହ କରି ପ୍ରକୃତ କୋରନା ଯୋଦ୍ଧାର ଭୂମିକା ନିଭାଇବା ଉଲେଖନୀୟ ଘଟଣା ଅଟେ। ସେହି ସମୟରେ ପ୍ରଶାସନ ଅଧିକାରୀମାନେ ଦୟାଙ୍କ ସହଯୋଗ ନେଇ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଅନେକ ଶବ ଦାହ କରାଇଥିଲେ ମଧ୍ୟ ଦୟାଙ୍କୁ କରୋନା ଯୋଦ୍ଧା ଭାବେ ପରିଗଣିତ କରାଯାଇନଥିଲେ ମଧ୍ୟ ଏଥିପ୍ରତି କେବେବି ତାଙ୍କର ଅଭିମାନ ନଥିଲା। ଏମିତିକି ମଧ୍ୟ ରାତିରେ ଫୋନ ଆସିଲେ କୈାଣସି ଶଙ୍କା ନକରି ଦୟାନିଧି ଗାଡ଼ି ଧରି ଶବ ନେବାକୁ ବାହାରି ପଡ଼ନ୍ତି। ଆଉ ଉଲେଖନୀୟ ବିଷୟ ହେଉଛି ଦୟା ବାରିକ କେବଳ ଶବ ବୋହିବା କାମ କରୁନଥିଲେ। ଶବ ପୋଡ଼ିବାକୁ ଗୋବର ଘସି ନ ମିଳିବା ସମୟରେ କାଠ ଯୋଗାଡ଼ କରି ସହାୟକ ହୋଇଥିଲେ। ଦୟାନିଧିଙ୍କ ଏହିଭଳି ନିସ୍ୱାର୍ଥ ସେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ଦିନେ ଶବ ବୋହିବାକୁ କାନ୍ଧ ମିଳୁନଥିବା ଘଟଣା ଦୟାନିଧି ବାରିକଙ୍କୁ ଗଭୀର ଭାବେ ଆନ୍ଦୋଳିତ କରିଥିଲା । ଏହି ସମସ୍ୟା ଯେମିତି ହେଲେ ଦୂର କରିବା ପାଇଁ ଚିନ୍ତା କରି ଦୟାନିଧି ଗୁଣପୁରର କିଛି ବଦାନ୍ୟ ଲୋକଙ୍କ ସହଯୋଗରେ ଏକ ଶବ ବୁହା ଗାଡ଼ି ଯୋଗାଡ଼ କରି ସ୍ୱର୍ଗରଥ ଭାବେ ନାମକରଣ କରିଥିଲେ। ଏହାପରେ ଗତ ୨୦୧୬ ଅକ୍ଟୋବର ୨ ତାରିଖରୁ ଶବ ବୁହା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସ୍ୱର୍ଗରଥର ରକ୍ଷଣାବେକ୍ଷଣ ପାଇଁ ଗୁଣପୁର ତହସିଲ ପକ୍ଷରୁ ଜମି ଯୋଗାଇ ଦିଆଯାଇଥିବା ବେଳେ ପରିଚାଳନା ପାଇଁ ଗୋଟିଏ କୋଠରୀ ନିର୍ମାଣ ପାଇଁ ଗତବର୍ଷ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସମ୍ମତି ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରି ନଥିବା ଜଣାପଡ଼ିଛି।

 

Leave A Reply

Your email address will not be published.