ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

0

ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭାରତ ଏବଂ ଅଷ୍ଟ୍ରେଲିଆ ସହଭାଗୀତାକୁ ଅଧିକ ସୁଦୃଢ କରାଯିବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିଆର ଶିକ୍ଷା ଏବଂ ଯୁବ ବିଭାଗର ମନ୍ତ୍ରୀ ଏଲେନ୍ ଟଜଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭାରତ ଏବଂ ଅଷ୍ଟ୍ରେଲିଆର ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।
ଉଭୟ ମନ୍ତ୍ରୀ ଆଲୋଚନା କାଳରେ ଉଚ୍ଚଶିକ୍ଷା କ୍ଷେତ୍ର ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କ ଉଭୟ ଦେଶକୁ ଯାତାୟତ, ଶିକ୍ଷକଙ୍କ ଆଦାନପ୍ରଦାନ, ଅଧ୍ୟୟନ, ପାରସ୍ପରିକ ପ୍ରାଥମିକତା କ୍ଷେତ୍ରକୁ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଅଷ୍ଟ୍ରେଲିଆକୁ ଫେରିବା ବିଷୟରେ ଆଲୋଚନା କରିଥିଲେ । ଅପରପକ୍ଷରେ ଅଷ୍ଟେ୍ରଲିଆ ଶିକ୍ଷା ମନ୍ତ୍ରୀ ଅଷ୍ଟ୍ରେଲିଆ ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଅବଗତ କରାଇଥିଲେ । ଭାରତରୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସବୁପ୍ରକାର ସାହାଯ୍ୟ କରିବା ଦିଗରେ ଉଭୟ ମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ଥିବା ଆଲୋଚନାରେ ଗୁରୁତ୍ୱାରୋପ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶର ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଭାରତର ଯୁବପିଢିଙ୍କ ଆକାଂକ୍ଷା ତଥା ଭବିଷ୍ୟତ ଆବଶ୍ୟକତାକୁ ପୂରଣ କରିବା ସହ ଭାରତକୁ ବୈଶ୍ୱିକ ସ୍ତରରେ ଅଧିକ ପ୍ରାସଙ୍ଗିକ କରିବାରେ ସହାୟକ ହେବ । ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶ ଅଧିକ ସହଯୋଗୀ ହୋଇପାରିବା ନେଇ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.