ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା | ସେପସିସ୍ ଏବଂ ମଲଟି ଅର୍ଗାନ ଫେଲୟର କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି |
ବରିଷ୍ଠ ବିଜେପି ନେତା ଶ୍ରୀ ସିଂ ଜୁଲାଇ 4 ରୁ ଜାତୀୟ ରାଜଧାନୀର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (SGPGIMS) ର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଦିନ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଡାଏଲିସିସରେ ରଖାଯାଇଥିଲା। ଶ୍ରୀ ସିଂଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାର ନେଫ୍ରୋଲୋଜି, ହୃଦ୍ରୋଗ, ସ୍ନାୟୁବିଜ୍ଞାନ, ଏଣ୍ଡୋକ୍ରିନୋଲୋଜି ଏବଂ ନ୍ୟୁରୋ-ଓଟୋଲୋଜି ବିଭାଗର ଡାକ୍ତରଙ୍କୁ ନେଇ ଏକ ବିଶେଷଜ୍ଞ ଦଳ ଗଠନ କରାଯାଇଥିଲା। SGPGIMS କୁ ସ୍ଥାନାନ୍ତରିତ ହେବା ପୂର୍ବରୁ ତାଙ୍କୁ ପ୍ରଥମେ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ରାଜସ୍ଥାନର ରାଜ୍ୟପାଳ ରହିଥିବା ଶ୍ରୀ ସିଂ ଭାରତର ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ | ପ୍ରଥମ କାର୍ଯ୍ୟକାଳ ଜୁନ୍ ୧୯୯୧ ରୁ ଡିସେମ୍ବର ୧୯୯୨ ଏବଂ ଦ୍ଵିତୀୟ କାର୍ଯ୍ୟକାଳ ସେପ୍ଟେମ୍ବର ୧୯୯୭ ରୁ ନଭେମ୍ବର ୧୯୯୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କର ପ୍ରଥମ କାର୍ଯ୍ୟକାଳ ବିବାଦୀୟ ବାବ୍ରି ମସଜିଦ ଭଙ୍ଗ ଘଟଣା ପାଇଁ ଚର୍ଚିତ ଥିଲା |