ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

0 2

ଭୁବନେଶ୍ୱର- ଓଡ଼ିଶାର ଲୋକମାନେ ବିଶେଷ ଭାବରେ ପ୍ରବାସୀ ଓଡ଼ିଆମାନେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲ୍ୟାଣକାରୀ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗଣମାଧ୍ୟମକୁ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କାମ କରୁଥିବା ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ତେଣୁ ଓଡ଼ିଶା ଲୋକଙ୍କ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଏହାବ୍ୟତିତ ପଂଚାୟତ ଓ ପୌର ନିର୍ବାଚନ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପୌର ନିର୍ବାଚନ ସହ ପଂଚାୟତ ନିର୍ବାଚନ ଏକାଠୀ କରିବାକୁ ଆମ ଦଳର ପ୍ରସ୍ତାବ ରହିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଏହି ଦାବୀ ଜଣାଯାଇଛି । ଏହା ଦ୍ୱାରା ଲୋକମାନେ ହଇରାଣ ହେବେ ନାହିଁ ଏବଂ ବିକାଶ କାମରେ ବାଧକ ହେବନାହିଁ । କେନ୍ଦ୍ର ସରକାର ପଂଚଦଶ ଅର୍ଥ କମିଶନରେ ଓଡ଼ିଶାକୁ ବିପୁଳ ଅର୍ଥ ଯୋଗାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗ୍ରାମାଂଚଳ ଓ ସହରାଂଚଳ ପାଇଁ ଅନେକ ଯୋଜନା କରିଛନ୍ତି । ଏହି ସବୁ ଯୋଜନା ପାଇଁ ଓଡ଼ିଶାକୁ ଯେତେ ଅର୍ଥ ମିଳିଛି ତାହାକୁ କଳ୍ପନା କରାଯାଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୨୬ ଲକ୍ଷ ଘର ପାଇଁ ପ୍ରତି ଘର ପିଛା ୧ ଲକ୍ଷ ୨୦ ହଜାର ଟଙ୍କା ହିସାବରେ ୨୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ସୌଭାଗ୍ୟ ଯୋଜନାରେ ଶତପ୍ରତିଶତ ଘରକୁ ବିଦ୍ୟୁତ ସଂଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୫୦ ଲକ୍ଷ ନୂଆ ଗରିବ ଲୋକଙ୍କୁ ଗ୍ୟାସ ଉପଲବ୍ଧ କରାଯାଇଛି । ଅଧିକ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଉଜ୍ଜଳା ୨.୦ ଆରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ନିୟମିତ ବ୍ୟବଧାନରେ ଚାଷୀଙ୍କୁ ଓଡ଼ିଶାର ଚାଷୀଙ୍କୁ ଟଙ୍କା ଦିଆଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.