ଭୁବନେଶ୍ୱର : ଆମ ରାଜ୍ୟରେ ସର୍ବନିମ୍ନ ମଜୁରୀ ଦୈନିକ ମାତ୍ର ୨୨୪ ଟଙ୍କା ୩୦ ପଇସା । ଭାରତ ବର୍ଷର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମ୍ । ଏପରି କି ପଡୋଶୀ ରାଜ୍ୟ ତୁଳନାରେ ମଧ୍ୟ ସର୍ବନିମ୍ନ ମଜୁରୀ କମ୍ ଅଛି । ଓଡିଶାର ମୋଟ ଜନସଂଖ୍ୟା ପ୍ରାୟ ସାଢେ ୪ କୋଟି ଓ ଏହି ଜନସଂଖ୍ୟାର ୧/୩ ଅଂଶ ଅର୍ଥାତ୍ ପ୍ରାୟ ଦେଢ କୋଟି ଲୋକ ଶ୍ରମିକ ଅଟନ୍ତି । ଏହି ଶ୍ରମିକମାନଙ୍କ ମଧ୍ୟରୁ ଏକ ବିରାଟ ଅଂଶ ହେଉଛନ୍ତି ନାମମାତ୍ର ଶ୍ରମିକ । ଯେଉଁ ଶ୍ରମିକମାନେ ବର୍ଷକରୁ ବହୁ କମ୍ ଦିନ କାମ ପାଆନ୍ତି । ଶ୍ରମିକମାନେ ବଂଚିବା ପାଇଁ ନିଜ ଶ୍ରମ ଶକ୍ତି ଓ ସାମର୍ଥ୍ୟକୁ ବିକ୍ରି କରନ୍ତି ଓ ଏହା ବଦଳରେ ମଜୁରୀ ପାଆନ୍ତି । କିନ୍ତୁ ମଜୁରୀ କେତେ ହେବା ଉଚିତ୍, ଏଥିପାଇଁ ନିର୍ଦ୍ଧିଷ୍ଟ ନିୟମ ରହିଛି । ୧୯୫୭ ମସିହାରେ ଅନୁଷ୍ଠିତ ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଅନୁସାରେ ଜଣେ ଶ୍ରମିକର ପରିବାର ପାଇଁ ଜଣ ପିଛା ଦୈନିକ ୨୭୦୦ କ୍ୟାଲୋରୀ ଖାଦ୍ୟ, ମୁଣ୍ଡପିଛା ବର୍ଷକୁ ୧୮ଗଜ କପଡା, ୧୮୦ ବର୍ଗଫୁଟର ଘର ପାଇଁ ଭଡା ଓ ଅନ୍ୟାନ ଆନୁଷଙ୍ଗିକ ଖର୍ଚ୍ଚକୁ ମିଶାଇ ମଜୁରି ସ୍ଥିର କରିବାକୁ ହେବ । ସେହି ଅନୁସାରେ ଜଣେ ଶ୍ରମିକ ପରିବାର ଚଳାଇବା ପାଇଁ ମାସକୁ ୨୬ ହଜାର ଟଙ୍କା ଦରକାର । କିନ୍ତୁ ରାଜ୍ୟ ସରକାର ବର୍ତମାନ ସର୍ବନିମ୍ନ ମଜୁରୀ ଦୈନିକ ୨୦୦ ଟଙ୍କା + ୨୪ ଟଙ୍କା ୩୦ ପଇସା ଭିଡିଏ = ୨୨୪ ଟଙ୍କା ୩୦ ପଇସା ଧାର୍ଯ୍ୟ କରିଛନ୍ତି । ଏହା କେବଳ ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ କମ୍ ନୁହେଁ, ଆମର ସମସ୍ତ ପଡୋଶୀ ରାଜ୍ୟମାନଙ୍କ ଠାରୁ ଯଥେଷ୍ଟ କମ୍ ।
ରାଜ୍ୟ ସରକାର ଅବିଳମ୍ବେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା ବା ଦୈନିକ ୬୯୨ ଟଙ୍କାକୁ ବୃଦ୍ଧି କରିବାକୁ ସିଆଇଟିୟୁ ଓଡିଶା ରାଜ୍ୟକମିଟି ଦାବୀ କରିଛି । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ୪ ବର୍ଷରୁ ଉର୍ଧ୍ଵ କ୍ଷମତାରେ ରହିବା ମଧ୍ୟରେ ପେଟ୍ରୋଲ ଜାତ ସାମଗ୍ରୀର ଅହେତୁକ ଦର ବୃଦ୍ଧି, ଜିଏସ୍ଟି ଲାଗୁ କରିବା ଓ ମାଲିକ, ମୁନାଫାକାରୀ ମାନଙ୍କୁ ବିପୁଳ ଲାଭ ଦେବାପାଇଁ ଅର୍ଥନୀତି ପ୍ରଣୟନ କଲେ । ଫଳରେ ଖାଦ୍ୟ ଶସ୍ୟ ଓ ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଆକାଶ ଛୁଆଁ ହେଲା । ସାଧାରଣ ଶ୍ରମିକ କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ଜନ ସାଧାରଣଙ୍କର ଦୈନନ୍ଦିନ ଜୀବନ ଜୀବିକାର ବ୍ୟୟ ବହୁଗୁଣା ହେଲା । କିନ୍ତୁ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ଆନୁପାତିକ ଭାବେ ବୃଦ୍ଧି ପାଇଲା ନାହିଁ ।
ଆମ ରାଜ୍ୟର ଶ୍ରମିକ କର୍ମଚାରୀ ମାନଙ୍କ ଅବସ୍ଥା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ବହୁତ ଖରାପ । ସଂଗଠିତ ଶିଳ୍ପରେ କାମ କରୁଥିବା ସ୍ଥାୟୀ ଶ୍ରମିକ ମାନଙ୍କୁ ବାଦଦେଲେ, ଠିକା ଶ୍ରମିକ ମାନେ ମାସରେ ୨୬ ଦିନ କାମ ପାଆନ୍ତି ନାହିଁ । ରାଜ୍ୟ ସରକାରଙ୍କ ଅଧିନରେ ବିଭିନ୍ନ ବିଭାଗରେ ଆଉଟ୍ସୋର୍ସିଂ, ୱାର୍କଚାର୍ଜ, ଏନ୍.ଏମ୍.ଆର୍., ସର୍ଭିସ୍ ପ୍ରୋଭାଇଡର, ଡାଟାଏଣ୍ଟ୍ରୀ ଅପରେଟର ଆଦି ନାଁରେ କାର୍ଯ୍ୟ କରୁଛନ୍ତି । ଯେଉଁମାନେ ସର୍ବନିମ୍ନ ମଜୁରୀ ଆଇନର ପରିସରରୁ ବାହାରେ ରହିଛନ୍ତି । ସେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସ୍କିମ୍ ରେ କାର୍ଯ୍ୟରତ ଅଙ୍ଗନୱାଡି, ଆଶା, ପାଚିକା, କୃଷକ ସାଥୀ, ବ୍ୟାଙ୍କ ମିତ୍ର ଓ ଅନ୍ୟାନ୍ୟ ଶ୍ରମିକମାନଙ୍କୁ ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ମିଳୁନାହିଁ । ପେନ୍ସନ୍, ଇ.ଏସ୍.ଆଇ, ଇ.ପି.ଏଫ୍. ଆଦି ସାମାଜିକ ସୁରକ୍ଷା ମଧ୍ୟ ମିଳୁନାହିଁ । ଏହା ବ୍ୟତୀତ ଆମ ରାଜ୍ୟରେ ନିର୍ମାଣ, ପରିବହନ, ଓ ଅନ୍ୟାନ୍ୟ ଅସଂଗଠିତ କ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରମିକ କାର୍ଯ୍ୟ କରୁଛନ୍ତି । ଯେଉଁମାନେ ସର୍ବନିମ୍ନ ମଜୁରୀ ପାଉନାହାଁନ୍ତି ।
ସିଆଇଟିୟୁ ରାଜ୍ୟ କମିଟି ରାଜ୍ୟ ସରକାର ଅବିଳମ୍ବେ ସର୍ବନିମ୍ନ ମଜୁରୀ ମାସକୁ ୧୮ ହଜାର ଟଙ୍କା ଦୈନିକ ୬୯୨ ଟଙ୍କା ଧାର୍ଯ୍ୟ କରିବାକୁ ଦାବୀ କରିଛି । ରାଜ୍ୟ ସରକାର ଓ ଶ୍ରମ ବିଭାଗ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତି ନେବାକୁ ସିଆଇଟିୟୁ ରାଜ୍ୟ ସଭାପତି ସାଥୀ ଲମ୍ବୋଦର ନାୟକ ଓ ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ସାଥୀ ବିଷ୍ଣୁ ମହାନ୍ତି ଦାବି କରିଛନ୍ତି ।