ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ: ନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା
-
୭୫ତମ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
-
ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ଘରୋଇ ଡାକ୍ତରଖାନାରେ ମିଳିବ ଚିକିତ୍ସା ସୁବିଧା।
-
ପରିବାର ପାଇଁ ପ୍ରତି ବର୍ଷ ପାଞ୍ଚ ଲକ୍ଷ ଓ ମହିଳା ଙ୍କ ପାଇଁ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ।
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଭୁବନେଶ୍ବର ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଅନ୍ୟ ବରପୁତ୍ର ମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଅଖଣ୍ଡତା ଓ ଶାନ୍ତି ରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜବାନ ଏବଂ କରୋନା ଲଢେଇରେ ଶହୀଦ ହୋଇଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଏକ ଐତିହାସିକ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ସାରା ଓଡିଶା ମୋ ପରିବାର। ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ । ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ ବୋଲି ମୁଁ ଘୋଷଣା କରୁଛି ।’
• ଏଥିପାଇଁ ରାଜ୍ୟର ୯୬ ଲକ୍ଷ ପରିବାର, ସାଢେ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ମିଳିବ.
• ସାରା ଓଡିଶାରେ ପର୍ଯ୍ୟାୟକ୍ରମେ ଏହି କାର୍ଡ ଦିଆଯିବ ।
• ଏଭଳି ସ୍ମାର୍ଟ ହେଲ୍ଥ କାର୍ଡ ଦେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ।
• ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ, ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍ଥ କାର୍ଡ ମିଳିବ ।
• ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିବ।
• ଓଡିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲ ଚେନ୍ ମାନଙ୍କରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଏହା ସାରା ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିବ । ମୋର ବିଶ୍ବାସ, ମୋର ପ୍ରିୟ ଓଡିଶାବାସୀଙ୍କୁ ସ୍ବାସ୍ଥ୍ୟ ନିରାପତ୍ତା କୁ ଆହୁରି ସୁଦୃଢ କରିବାରେ ଏହି ବ୍ୟବସ୍ଥା ବିଶେଷ ସାହାଯ୍ୟ କରିବ । ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିକାଶରେ ଏହା ଏକ ନୂଆ ଯୁଗ ଆରମ୍ଭ କରିବ ।’
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୭୫ ବର୍ଷ ଗୋଟିଏ ଦେଶ ପାଇଁ, ଜାତି ପାଇଁ ବହୁତ ବଡ ସମୟ ନ ହେଲେ ମଧ୍ୟ ଏହାର ବିଶେଷ ଗୁରୁତ୍ବ ରହିଛି। ଭାରତର ଗଣତନ୍ତ୍ରକୁ ଆମର ସବୁଠାରୁ ବଡ ସଫଳତା ଭାବରେ ବର୍ଣ୍ଣନା କରି ଦେଶର ବିକାଶ ପ୍ରକ୍ରିୟାରେ ଏହା ସମସ୍ତଙ୍କୁ ଭାଗୀଦାର କରିବାରେ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ପୁଣି କହିଥିଲେ ଯେ Investment in Youth is investment in future. ୪୦ ବର୍ଷର ବ୍ୟବଧାନ ପରେ ଭାରତୀୟ ହକି ଟୋକିଓ ଅଲମ୍ପିକ୍ସ ରେ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଆମ ଖେଳାଳୀ ମାନଙ୍କ ପାଇଁ ସାରା ଦେଶ ଗର୍ବିତ ବୋଲି କହିଥିଲେ । ଭାରତୀୟ ହକି ଦଳକୁ ବିଶ୍ବର ଶ୍ରେଷ୍ଠ ଦଳ ଭାବରେ ଗଢିତୋଳିବା ପାଇଁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୦୭୨ ସ୍କୁଲର ରୂପାନ୍ତର କରାଯାଇଛି । ସେହିପରି ମୋ ସ୍କୁଲ ଅଭିଯାନରେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
କୋଭିଡ ମହାମାରୀକୁ ବିଶ୍ବ ଇତିହାସର ସବୁଠାରୁ ବଡ ସ୍ବାସ୍ଥ୍ୟ ସମସ୍ୟା ଭାବରେ ବର୍ଣ୍ଣନା କରି ଏହାର ମୁକାବିଲାରେ ମାନବ ଜାତି ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କୋଭିଡ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍ସିଜେନ ନିରନ୍ତର ଭାବରେ ଯୋଗାଇ ଓଡିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି କହିଥିଲେ ।
ଓଡିଶାର ଗୌରବମୟ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଓଡିଶା ବିଭିନ୍ନ କ୍ଷେତ୍ରରେ ବିକାଶର ନୂଆ ନୂଆ ମାଇଲଷ୍ଟୋନ ହାସଲ କରୁଛି । ସମସ୍ତଙ୍କ ସହଯୋଗରେ ଓଡିଶା ଆଗାମୀ ଦିନରେ ତାର ପରିଚୟକୁ ଆହୁରି ଉଜ୍ଜଳ କରିପାରିବ ବୋଲି ଦୃଢ ଆଶା ପୋଷଣ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ସମାପ୍ତ ହେବା ପରେ ପ୍ୟାରେଡ୍ କମାଣ୍ଡର କ୍ୱାମୀନାରା ଓ ଜୟହିନ୍ଦ୍ ଧ୍ୱନୀ ଦେଇଥିଲୋ ଉତ୍ସବସ୍ଥଳରୁ ସମସ୍ତ ପ୍ୟାରେଡ୍ ଦଳ ପ୍ରସ୍ଥାନ କରିଥିଲେ ଓ ମୁଖ୍ୟମନ୍ତ୍ରୀ ମଞ୍ଚରୁ ପ୍ରସ୍ଥାନ କରିଥିଲୋ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱରାଷ୍ଟ୍ର ବିଭାଗ ଶ୍ରୀ ସଂଜୀବ ଚୋପ୍ରା, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ସୋମେନ୍ ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇଥିଲୋ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା, ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀବୃନ୍ଦ, ୩୦ ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-“ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍,ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲୋ