ରାଜ୍ୟ ସରକାରଙ୍କ ଦ୍ୱାରା ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣକୁ ସ୍ୱାଗତ

0

ନିର୍ଦ୍ଧାରିତ ସମୟ ସୀମା ଭିତରେ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ

ବରଗଡ :-ବରଗଡ ଜିଲ୍ଲାବାସୀ ତଥା ସମଗ୍ର ପଶ୍ଚିମାଞ୍ଚଳର ଦୀର୍ଘଦିନର ଦାବୀକୁ ଗ୍ରହଣ କରି ବରଗଡରେ କ୍ୟାନ୍ସର ହସପିଟାଲ ସ୍ଥାପନା କରିବାକୁ ଓଡିଶା ସରକାର ନୀତିଗତ ନିଷ୍ପତ୍ତି ନେଇଥିବାରୁ ଜନସାଧାରଣ ଏହାକୁ ସ୍ୱାଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ତା.୧୪/୮/୨୧ ଦିନ ଅଗ୍ରଗାମୀ ଯୁବକ ସଂଘ ସମ୍ମିଳନୀ ହଲରେ ବରଗଡ ଜିଲ୍ଲାର ବିଭିନ୍ନ ସଙ୍ଗଠନକୁ ପ୍ରତିନିଧିତ୍ୱ କରୁଥିବା ୟୁନାଇଟେଡ ଫୋରମ ଫର କେନସର ହସପିଟାଲ ଇନ ବରଗଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଫୋରମର ଆବାହକ ପ୍ରଦୀପ ଦେବତା ଏହି ଲମ୍ବା ସଂଘର୍ଷର ଇତିହାସ ଉପରେ ଆଲୋକପାତ କରିଥିଲେ। ତା.୨୨/୭/୧୮ ଦିନ ସମସ୍ତ ସଙ୍ଗଠନର ସମନ୍ୱୟରେ ଏହି ଫୋରମ ସୃଷ୍ଟି ହୋଇଥିଲା। ବରାହଗୋଡା ଟୋଲଗେଟରେ ଚକାଜାମରୁ ଆରମ୍ଭକରି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ତା.୨୨/୧/୧୯ ରେ ସାକ୍ଷାତ କରି ଏହି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ବରଗଡରେ କେନସର ହସପିଟାଲ ହେବ ବୋଲି ତା.‍୨୧/୨/୧୯ ଦିନ ସୋହେଲା ନିକଟସ୍ଥ ଇଚ୍ଛାପାଲି ସାଧାରଣ ସଭାରେ ଓ ତା.୨୧/୧/୨୦ ଦିନ ଟୁକର୍ଲାଠାରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉଦଘାଟନ ଅବସରରେ ଘୋଷଣା କରିଥିଲେ। କିନ୍ତୁ, କାର୍ଯ୍ୟରେ ଅହେତୁକ ବିଳମ୍ବ ହେବାରୁ ପୁଣି ତା.୧୯/୧୧/୨୦ ଦିନ ବରଗଡ କାଳୀମନ୍ଦିର ଛକରୁ କଲେକ୍ଟରେଟ ପର୍ଯ୍ୟନ୍ତ ଏକ ବିଶାଳ ରାଲି ଯାଇଥିଲା। ଏବେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପତ୍ର ସଂଖ୍ୟା ୨୨୮୧୭ ତା.୧୧/୮/୨୧ ମାଧ୍ୟମରେ ବରଗଡରେ ୬ ମହଲା କେନସର ହସପିଟାଲ ନିର୍ମାଣ ପାଇଁ ୯୦ କୋଟି ୨୭ ଲକ୍ଷ ଟଙ୍କାର ପ୍ରଶାସନିକ ଅନୁମତି ପ୍ରଦାନ କରିଛନ୍ତି। ସେଥିପାଇଁ ଆବାହକ ଶ୍ରୀ ଦେବତା ମୁଖ୍ୟମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂସଦରେ ବରଗଡରେ କେନସର ହସପିଟାଲ ପାଇଁ ଦାବି ଜଣାଇଥିବାରୁ ବରଗଡ ସାଂସଦଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଏହା ବ୍ୟତୀତ, ସମସ୍ତ ରାଜନୈତିକ ଦଳର ନେତା, ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାବାସୀ, ବରଗଡର ସମସ୍ତ ଜନସାଧାରଣଙ୍କୁ ଏହି ଆନ୍ଦୋଳନରେ ଅକୁଣ୍ଠ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ। ପରେ ଶ୍ରୀ ଦେବତା ପୁଣି ୪ଟି ଦାବୀ ଜଣାଇଥିଲେ। (୧) ବରଗଡରେ କେନସର ବ୍ୟାପକ ଭାବରେ ବ୍ୟାପୁଥିବାରୁ ଏହି ପ୍ରସ୍ତାବିତ ହସପିଟାଲ ସହ ଏକ ରିସାର୍ଚ୍ଚ ସେଣ୍ଟରର ନିହାତି ଆବଶ୍ୟକତା ରହିଛି, ଏହାଦ୍ୱାରା ରୋଗର କାରଣ ଓ ନିରାକରଣ ପାଇଁ ସୁବିଧା ହେବ। (୨)ପେପରକାର୍ଯ୍ୟରେ ଅହେତୁକ ବିଳମ୍ବ ନ କରି ଏହାର ନିର୍ମାଣକାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରି ଯଥାଶୀଘ୍ର ଚିକିତ୍ସାସେବା ଯୋଗାଯାଉ। (୩) ଇତ୍ୟବସରରେ ରୋଗୀମାନଙ୍କୁ କେମୋଥେରାପି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ। (୪)ସାଂସଦ ପାଣ୍ଠିରୁ ବରଗଡ ପାଇଁ କେନସର ନିରୂପଣ ମୋବାଇଲ ଭେନ ଯୋଗାଇବା ପାଇଁ ସାଂସଦ ସୁରେଶ ପୂଜାରୀଙ୍କୁ ଅନୁରୋଧ କରାଯିବ। ପ୍ରେସମିଟ କାର୍ଯ୍ୟକ୍ରମ ପରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ସଭାସ୍ଥଳକୁ ଆମନ୍ତ୍ରିତ କରାଯାଇ ତା’ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆବାହକ ଶ୍ରୀ ଦେବତାଙ୍କ ସହ ସଂଯୋଜକ କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରେସ କୋଅର୍ଡିନେଟର ରବିନାରାୟଣ ପଣ୍ଡା, ଅଭିଜିତ ପ୍ରତିହାର, ଦୀପକ ରଥ, ପ୍ରତାପ ନାୟକ, ଦୀପେଶ ଯୋଷୀ, ଭରତ ସାହୁ, ଗୋପାଳ ଶର୍ମା, ରଶ୍ମୀ ଭୋଇ ପ୍ରମୁଖ ତଥା ଭଟଲି, ବରପାଲି ଓ ଅନ୍ୟ ସ୍ଥାନରୁ ଆସିଥିବା ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.