ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲାର ଅନ୍ୟ ଅଞ୍ଚଳ ଭଳି ପଦ୍ମପୁର ସହରରେ ମଧ୍ୟ ଦ୍ଵିତୀୟ ଲହରର ପ୍ରଭାବ ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ରାଜ୍ୟ ସରକାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆଜି ମଧ୍ୟ ଅନେକ ଗୁଡାଏ କଟକଣା ବଳବତ୍ତର ରଖିଛନ୍ତି । ରାତ୍ରି ୮ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଥିବା ବେଳେ ପଦ୍ମପୁର ସହରରେ କିନ୍ତୁ ଏହାର ଖୋଲାଖୋଲି ଭାବେ ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି ।
କପଡା ଦୋକାନ ଠାରୁ ଆରମ୍ଭ କରି ହୋଟେଲ ଓ ଅନ୍ୟ ଦୋକାନ ଗୁଡିକ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଖୋଲା ରହୁଛି । ଦିନବେଳା ମଧ୍ୟ କୌଣସି ଦୋକାନରେ କୋରାନା ନିୟମ ପାଳନ କରାଯାଉ ନାହିଁ । ମାସ୍କ ଚେକିଂ ମଧ୍ୟ ଠିକ ଭାବରେ ହେଉ ନ ଥିବାରୁ ଲୋକେ ବେଧଡକ ଦୋକାନ ଓ ବଜାରରେ ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ କିଣାବିକା କରୁଥିବା ଦେଖିବାକୁ ମିଳିଛି । ପୋଲିସ ତରଫରୁ ଲୋକଦେଖାଣିଆ ଭାବରେ କେବଳ ଭେଉରିଆ ଛକଠାରେ କିଛି ସମୟ ପାଇଁ ମାସ୍କ ଚେକିଂ କରା ଯାଉଥିଲେ ମଧ୍ୟ ଏହା ଲୋକଙ୍କ ମଧ୍ୟରେ କୌଣସି ପ୍ରଭାବ ପକାଇ ପାରୁନି । ଅନ୍ୟ ପଟେ ପୋଲିସ ଓ ପ୍ରଶାସନ ମଧ୍ୟରେ କୌଣସି ତାରତମ୍ୟ କିମ୍ବା ସମନ୍ୱୟ ରହୁ ନ ଥିବାରୁ ପଦ୍ମପୁର ସହରରେ କୋଣସି କଟକଣା ଥିବା ଭଳି ମନେ ହେଉନାହିଁ । ଦ୍ୱିତୀୟ ଲହର ସମୟରେ ଏହି କୋରାନା ରୋଗ ଯୋଗୁଁ ପଦ୍ମପୁର ସହରର ଅନେକ ମୂଲ୍ୟବାନ ଜୀବନ ଅସମୟରେ ପରଲୋକ ଚାଲି ଯାଇଛନ୍ତି । ଟୀକାକରଣରେ ମଧ୍ୟ ପଦ୍ମପୁର ସହର ପଛରେ ରହିଛି । ତଥାପି ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଓ ପ୍ରଶାସନର ଢିଲାପଣ ଯୋଗୁଁ ସହରରେ ପୁଣିଥରେ ତୃତୀୟ ଲହରର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ ।
ଟୀକାକରଣ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଲୋକେ କୋରାନା କଟକଣାକୁ ପାଳନ କରିବା ସହିତ ପ୍ରଶାସନ ମଧ୍ୟ ଏହାକୁ କଡାକଡି ଭାବେ ପାଳନ କରାଇବା ପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ଜୋର ହେଉଛି ।