ଆଶୀର୍ବାଦ: ଅନାଥ ପିଲାଙ୍କୁ ଆପଣାଇଲା ଜିଲ୍ଲା ପ୍ରଶାସନ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତିର ରାୟଗଡ ଗ୍ରାମରେ ୨୦୧୫ ରେ ମାଆ ଶ୍ରୀମତି ସବିତା ପାପ୍ପୁରେଡିକୁ ହରାଇ ଏବଂ ବର୍ତ୍ତମାନ ବାପା ଶ୍ରୀଯୁକ୍ତ ତୋଫାନ୍ ପାପ୍ପୁରେଡିଙ୍କୁ ହରାଇ ଅନାଥ ହୋଇଥିବା ଦୁଇଟି ଛୁଆଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚି ଉଦ୍ଧାର କରୁଛି।
କିଛି ଖବର କାଗଜରେ ଏହି ଘଟଣା ପ୍ରକାଶ ପାଇଲା ପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଚାଇଲଡଲାଇନ୍ ର ଦୁଇ ଜଣ ସଦସ୍ୟ ଟି.ସୁରେଶ ଏବଂ ଗଙ୍ଗା ବଡରଇତ ରାୟଗଡ ଗ୍ରାମରେ ପହଞ୍ଚି ଶିଶୁ ମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଆବଶ୍ୟକ କାଗଜପତ୍ର ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରୁ ସଂଗ୍ରହ କରିଥିଲେ।
ପରବର୍ତ୍ତୀ ମୁହୁର୍ତ୍ତରେ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି , ଗଜପତିରେ ଉପସ୍ଥାପନ କରାଯାଇଥିଲା।
ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଶିଶୁ ମାନଙ୍କୁ ନିସାନ ସାଲୋମ ଶିଶୁ ଯତ୍ନ ଅନୁଷ୍ଠାନ, ଗୁମ୍ମାରେ ଥଇଥାନ କରାଯାଇଛି। ଶିଶୁ ମାନଙ୍କର ବୟସ ୧୨ ଏବଂ ୮ ବର୍ଷ ହୋଇଥିଲା ବେଳେ ସେମାନେ ରାୟଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫ମ ଏବଂ ୨ୟ ଶ୍ରେଣୀରେ ପାଠ ପଢୁଥିଲେ। ବର୍ତ୍ତମାନ ସେମାନଙ୍କୁ ଗୁମ୍ମାର ସରକାରୀ ବିଦ୍ୟାଳୟରେ ନାମ ଲେଖାଯାଇ ସେମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରାଯିବ। ସେମାନଙ୍କର ସମସ୍ତ ଯତ୍ନ ଓ ସୁରକ୍ଷା ଜିଲ୍ଲା ପ୍ରଶାସନ ତରଫରୁ ନିଆଯିବ ଏବଂ ଆଶୀର୍ବାଦ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରି ମାସିକ ୧୦୦୦ ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜିମା କରାଯିବ।

Leave A Reply

Your email address will not be published.