ଦୁର୍ବଳ ନେଟୱାର୍କ ସହ ଖରାପ ମେସିନ ଯୋଗୁଁ ପିଡିଏସ୍ ବଣ୍ଟନ ବ୍ୟବସ୍ଥାରେ ଶିଥିଳତା ।

0 1

ମାଲକାନଗିରି ପଡିଆ- ଗରିବ ଓ ଅସହାୟ ଙ୍କ ପେଟକୁ ଦାନା ଯୋଗାଇବା ପାଇଁ ସରକାର ଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନା ଭଳି ମହତ୍ ଯୋଜନା ରେ କୋଟି କୋଟି ଲୋକଙ୍କୁ ପିଡିଏସ୍ ବ୍ୟବସ୍ଥାରେ ଚାଉଳ, ଗହମ, କିରୋସିନ୍, ଡାଲି ସମେତ ବିଭିନ୍ନ ସାମଗ୍ରୀ ଯୋଗାଇ ଦିଆଯାଉଛି। ଏଥିପାଇଁ ପ୍ରତ୍ୟକ ମାସର ୫ ତାରିଖରୁ ପଞ୍ଚାୟତ ର ଯୋଗାଣ କେନ୍ଦ୍ର ଓ ଉପକେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ସରକାରୀ ନିୟମ ଅନୁସାରେ ବିଭିନ୍ନ ସମାଗ୍ରୀ ଯୋଗାଇ ଦିଆଯାଉଛି।  ଚଳିତ ମାସ ୫ ତାରିଖରୁ ପଡିଆ ଓ କାଲିମେଳା ବ୍ଳକର ବିଭିନ୍ନ ପଞ୍ଚାୟତରେ ଚାଉଳ, କିରୋସିନ ବଣ୍ଟନ ଚାଲିଥିବା ବେଳେ ବଣ୍ଟନ ବ୍ୟବସ୍ଥାରେ ବ୍ୟବହୃତ ଇପୋସ ମେସିନ ଗୁଡିକ ଦୁର୍ବଳ ଓ ଉପଯୁକ୍ତ ନେଟୱାର୍କ ବ୍ୟବସ୍ଥା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ପଡିଆ, କାଲଦାପଲ୍ଲୀ, ବାପ଼ନପଲ୍ଲୀ ସମେତ ପଡିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗତ କିଛିଦିନ ଧରି ଏଭଳି ସମସ୍ୟା ଦେଖା ଯାଉଥିବାରୁ ପିଡିଏସ୍ ଚାଉଳ ପାଇଁ ଆସିଥିବା ହିତାଧୀକାରୀ ମାନେ ଘଣ୍ଟା ଘଣ୍ଟା ଧରି ଲାଇନ ରେ ଛିଡା ହେବା ସହ କେତକ ସାରା ଦିନ ଅପେକ୍ଷା ପରେ ଘରକୁ ଫେରି ଆଉ ଏକ ଦିନ ପାଇଁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ମୁଖ୍ୟତଃ ବାପନପଲ୍ଲୀ ପଞ୍ଚାୟତରୁ ପିଡିଏସ୍ ଚାଉଳ ସଂଗ୍ରହ ପାଇଁ ପ୍ରାୟ ୧୨ କିମି ଦୂର ସିଲାକୋଟା ରୁ ଆସି ପଞ୍ଚାୟତରେ ଅପେକ୍ଷା କରି ରହୁଥିବା ବେଳେ ସର୍ଭର ରେ ଅସୁବିଧା ଯୋଗୁଁ ବାରମ୍ଵାର ସଂଯୋଗ ବିଚ୍ଛିନ୍ନ ହେଉଥିବାରୁ ଯୋଗାଣ ସହାୟକ ଙ୍କୁ ଚାଉଳ ବାଣ୍ଟିବାରେ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ଯାହାଫଳରେ ସିଲାକୋଟା ସହ ଦୂର ଦୂରାନ୍ତ ରୁ ପିଡିଏସ୍ ଚାଉଳ ପାଇଁ ଆସିଥିବା ଗରିବ ଓ ଅସହାୟ ଭୋକ ଉପାସରେ ପଞ୍ଚାୟତ ସମ୍ମୁଖରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି। ସେହିପରି ଶାବେରୀ ନଦୀ ଉପକୁଳରେ ଥିବା କାଲଦାପଲ୍ଲୀ ପଞ୍ଚାୟତରେ  ରୋମିଙ୍ଗ ନେଟୱାର୍କ ରେ ଇପସ ମେସିନ୍ ଚଳାଇ ପିଡିଏସ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟ ଚାଲୁଥିବାରୁ ବାରମ୍ବାର ମେସିନ୍ ରେ ତ୍ରୁଟି ଦେଖାଇବା ସହ ସ୍ଥାନୀୟ ଲୋକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ଉଙ୍ଗା ମାଡି, ଲାଛା ପଡିଆମି, ଭୀମା ମାଡକାମି ଜଗା ମାଡି, ସଂଜୟ ମିସ୍ତ୍ରୀ, ଅମିତ ଦାସ ସମେତ ସ୍ଥାନୀୟ ଲୋକ କହିଛନ୍ତି । ଅନ୍ୟପଟେ ଏ ବାବଦରେ ଯୋଗାଣ ବିଭାଗର ଜଣେ ଅଧିକାରୀ ଙ୍କୁ ପଚାରିବାରୁ ସର୍ଭର ରେ ସମସ୍ୟା ଦେଖା ଦେଉଥିବାରୁ ସ୍କାନିଂ ଓ ଚକ୍ଷୁ ସ୍କ୍ରିନିଂ ମେସିନ୍  ବାରମ୍ବାର ଅଚଳ ହୋଇପଡୁଛି, ଏ ବାବଦରେ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଥିବା କହିଛନ୍ତି। ଏପରି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ପିଡିଏସ୍ ସାମଗ୍ରୀ ସଂଗ୍ରହ ପାଇଁ ଲୋକେ ଭୋଗୁଥିବା ନାନା ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଇ ତୁରନ୍ତ ଆବଶ୍ହକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.