ଅଧିକ ସ୍ପେସାଲିଷ୍ଟ୍ ତାଲିମ ପାଇଁ ପି.ଜି.ଡିପ୍ଲୋମା କୋର୍ସ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୂବନେଶ୍ୱର : ଦୂରଦୂରାନ୍ତ ଗ୍ରାମା ଳରେ ସ୍ୱାସ୍ଥ୍ୟ ସେବା ଯୋଗାଣର ଗୁଣାତ୍ମକ ମାନ ବିକାଶ ଉପଲକ୍ଷେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଯୋଗୁ ସେ ସବୁ ଅଂଚଳରେ ଅଧିକ ଡ଼ାକ୍ତର ନିଯୁକ୍ତ ହୋଇଛନ୍ତି । ବର୍ତମାନ ଗ୍ରାମାଂଚଳରେ ୭୯% ଭାଗ ଡ଼ାକ୍ତର ପଦବୀ ପୁରଣ ହୋଇଛି । ଅଧିକ ପଛୁଆ ଭି-୪ ଏବଂ ଭି-୩ ଅଂଚଳରେ ଯଥା କ୍ରମେ ୮୪% ଏବଂ ୮୨% ଭାଗ ପଦବୀ ପୁରଣ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ଗ୍ରାମାଂଚଳରେ ଡ଼ାକ୍ତର ନିଯୁକ୍ତି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଡ଼ାକ୍ତର ମାନଙ୍କ ପାଇଁ ନିର୍ଦ୍ଧାରିତ ପ୍ରୋତ୍ସାହନ ମୂଳକ ପ୍ରାବଧାନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।
ଗ୍ରାମାଂଚଳରେ ଅଧିକ ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ ରାଜ୍ୟରେ ସ୍ୱତନ୍ତ୍ର ଭାବେ ପି.ଜି.ଡ଼ିପ୍ଲୋମା କୋର୍ସ ଆରମ୍ଭ ିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଧା ଡ଼ାକ୍ତର ନିଯୁକ୍ତି ସମ୍ବନ୍ଧିତ ବିଷୟବସ୍ତୁ ଓ ସଦ୍ୟତନ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଡ଼ାକ୍ତର ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ପ୍ରୋତ୍ସାହନର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଧିଷ୍ଟ ଆନୁଷ୍ଠାନିକ ବ୍ୟବସ୍ଥା କରିବା ନିମନ୍ତେ ଉନ୍ନୟନ କମିଶନର ଆର୍.ବାଲାକ୍ରିଷ୍ଣନ୍ ପରାମର୍ଶ ଦେଇଥିଲେ । ନିଯୁକ୍ତି ସ୍ଥାନରେ ଲଗାତାର ଅନୁପସ୍ଥିତ ରହୁଥିବା ଡ଼ାକ୍ତର ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ନୂତନ ସୃଷ୍ଟି ହେଉଥିବା ଖାଲିସ୍ଥାନ ଗୁଡିକର ପୁରଣ ତ୍ୱରିତ ବେଗରେ କରିବା ନିମନ୍ତେ ବୈଠକରେ ନିଷ୍ପତି ହୋଇଥିଲା । ବିଭାଗୀୟ ଶାସନ ସଚିବ ଶ୍ରୀ ମେହେର୍ଦ୍ଦା ଜଣାଇଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଗ୍ରାମା ଳରେ ୫୩୧୮ ଜଣ ଡ଼ାକ୍ତରଙ୍କୁ ନିୟୋଜିତ କରାଯାଇ ଏ ଦିଗରେ ୭୯% ରୁ ଅଧିକ ଲକ୍ଷ୍ୟ ହାସଲ କରାଯାଇଛି । ବିଶେଷତଃ ଭି-୩ ଏବଂ ଭି-୪ ଅଂଚଳ ମାନଙ୍କରେ ଖାଲିଥିବା ସ୍ଥାନ ଅନେକାଂଶରେ ପୁରଣ ହୋଇଛି । ବିଭିନ୍ନ ପ୍ରୋତ୍ସାହନ ମୂଳକ ପଦକ୍ଷେପ ଯୋଗୁ ଭି-୪ ଅଂଚଳରେ ଖାଲିଥିବା ଡ଼ାକ୍ତର ପଦବୀ ୧୬ କୁ ଏବଂ ଭି-୩ ଅଂଚଳରେ ଏହା ୫୨ କୁ ହ୍ରାସ ପାଇଛି । ଭି-୪ ଅଂଚଳରେ କାମ କରୁଥିବା ସ୍ପେସାଲିଷ୍ଟ ମାନଙ୍କୁ ମାସିକ ୮୦ ହଜାର ଏବଂ ଡ଼ାକ୍ତର ମାନଙ୍କୁ ମାସିକ ୪୦ ହଜାର ସ୍ୱତନ୍ତ୍ର ଇନ୍ସେନ୍ଟିଭ୍ ଦିଆଯାଉଛି । ସେହିପରି ଭି-୩ ଅଂଚଳରେ କାମ କରିବା ପାଇଁ ସ୍ପେସାଲିଷ୍ଟ୍ ମାନଙ୍କୁ ମାସିକ ୬୦ ହଜାର ଏବଂ ଡ଼ାକ୍ତର ମାନଙ୍କୁ ମାସିକ ୩୦ ହଜାର ପ୍ରୋତ୍ସାହନ ରାଶି ଦିଆଯାଉଛି । ଏହା ଛଡା ପି.ଜି ସିଲେକସନରେ ସେମାନଙ୍କୁ ଅତିରିକ୍ତ ନମ୍ବର ଦିଆଯିବାର ପ୍ରାବଧାନ ମଧ୍ୟ କରାଯାଇଛି ।
ରାଜ୍ୟରେ ଅଧିକ ସ୍ପେସାଲିଷ୍ଟ୍ ସୃଷ୍ଟି କରିବା ନିମନ୍ତେ ମେଡିକାଲ କଲେଜ ଏବଂ ଜିଲ୍ଲା ହେଡକ୍ୱାର୍ଟର ମେଡିକାଲ ମାନଙ୍କରେ ପି.ଜି.ଡିପ୍ଲୋମା କୋର୍ସ ୨୦୧୮ ମସିହା ଠାରୁ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏଥି ନିମନ୍ତେ ଶିକ୍ଷକ ତାଲିମ ଏବଂ ଅନ୍ୟାନ୍ୟ ଆନୁସଂଗିକ କାମ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ୧୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ସ୍ପେସାଲିଷ୍ଟ୍ ମାନଙ୍କୁ ଶିକ୍ଷକ ତାଲିମ ପାଇଁ ସ୍ୱତନ୍ତ୍ର ଭାବେ ବଛାଯାଇ ମୁମ୍ବାଇକୁ ପଠାଯିବ ।
ଉନ୍ନୟନ କମିଶନର ଆର୍.ବାଲାକ୍ରିଷ୍ଣନ୍, ଅର୍ଥ ବିଭାଗ ପ୍ରମୁଖ ଶାାସନ ସଚିବ ତୁହିନ କାନ୍ତ ପାଣ୍ଡେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡ. ପ୍ରମୋଦ କୁମାର ମେହେରଦ୍ଦା ,ନିର୍ଦ୍ଦେଶକ ବ୍ରଜ କିଶୋର ବ୍ରହ୍ମା, ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ବିଷ୍ଣୁ ମହାପାତ୍ରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।