ହିଣ୍ଡାଲକୋ ହୀରାକୁଦ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ପ୍ରଦାନ

0 2

ଭୁବନେଶ୍ୱର : ଲୋକଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଗ୍ରଣୀ ଧାତୁ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ସମ୍ବଲପୁର ଜିଲାର ହୀରାକୁଦ ଆଖପାଖ ଗ୍ରାମଗୁଡିକରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି । କମ୍ପାନୀର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ (ଏମଏଚୟୁ) ନିୟମିତ ଭାବରେ ଗୁଣ୍ଡୁରୁପଡା, ମହମ୍ମଦପୁର, ଡେଙ୍ଗିମାଚ, ବୁଢାକଣ୍ଟା, ଲରଭଙ୍ଗା, ଗଡମୁଣ୍ଡା, ନୂଆ ଜାମଡା, ନୂଆ ଗୁଜତଳା, ଲାରପଙ୍କ, ରେମେଡ, ଗୋପାଳପଲ୍ଲି ଆଦି ଗ୍ରାମକୁ ଯାଇ ସେହିସବୁ ଗ୍ରାମରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେଉଛି । ଏହି ସେବା ଜରିଆରେ ଗ୍ରାମବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ପରାମର୍ଶ ଏବଂ ସାଧାରଣ ଥଣ୍ଡା, ଜ୍ୱର, କାଶ, ଜଳୀୟ ଅଂଶ ହ୍ରାସ ଏବଂ ଅନ୍ୟାନ୍ୟ ରୋଗ ପାଇଁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି । ଏତଦ୍‍ବ୍ୟତୀତ କମ୍ପାନୀ ପକ୍ଷରୁ ଏହିସବୁ ଗ୍ରାମରେ କୋଭିଡ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ଏହି ‘ହେଲ୍‍ଥକେୟାର ଅନ ହ୍ୱିଲ୍ସ’ ସେବା ସମ୍ବଲପୁର ଜିଲା ପ୍ରଶାସନ ଏବଂ କମ୍ପାନୀ ପକ୍ଷରୁ ମିଳିତ ଭାବରେ ପରିଚାଳନା କରାଯାଉଛି । 

ଏହି ସେବାର ତଦାରଖ କରୁଥିବା ହୀରାକୁଦ ହିଣ୍ଡାଲକୋର କ୍ଲଷ୍ଟର ମୁଖ୍ୟ ଶ୍ରୀ କୈଳାଶ ପାଣ୍ଡେ କହିଛନ୍ତି, “ଅନେକ ଲୋକ ଅଛନ୍ତି ଯେଉଁମାନେ ସାଧାରଣ ଥଣ୍ଡା, ଜ୍ୱର ଏବଂ ଅନ୍ୟାନ୍ୟ ରୋଗକୁ ଅତି ହାଲୁକା ଭାବରେ ନେଇଥାନ୍ତି, ଯଦ୍ଧ୍ୱାରା ସେମାନେ ଏହାର ଅବହେଳା କରିଥାନ୍ତି ଏବଂ ତାହା ପ୍ରାଣଘାତୀ ହୋଇଥାଏ । ଏହି ସମସ୍ୟା ଦୂର କରିବାକୁ ଆମେ ଲୋକଙ୍କ ଦ୍ୱାରଦେଶ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପହଞ୍ଚାଇ ଏହାର ସମାଧାନ କରିବା ପ୍ରୟାସ ଆରମ୍ଭ କରିଛୁ । ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ଆମେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବିବିଧ ପଦକ୍ଷେପ ଗ୍ରହଣ କରୁଛୁ ଏବଂ ଏହା ସେଥିମଧ୍ୟରୁ ଅନ୍ୟତମ ।”

କମ୍ପାନୀର ମାନବସମ୍ବଳ ମୁଖ୍ୟ ଶ୍ରୀ କ୍ରିଷ୍ଣା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଅଧୀନରେ ସିଏସଆର ଦଳ ଦ୍ୱାରା ଏହି ସେବା ଯୋଗାଇ ଦିଆଯାଉଛି ଏବଂ ସେଥିରେ ସମନ୍ୱୟ ରକ୍ଷା କରାଯାଉଛି । କମ୍ପାନୀର ଏହି ପ୍ରୟାସକୁ ଉକ୍ତ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସମେତ ସମସ୍ତ ବର୍ଗର ଜନସାଧାରଣଙ୍କ ନିକଟରୁ ବିପୁଳ ସମର୍ଥନ ଓ ପ୍ରଶଂସା ମିଳିଛି । 

ସମାଜକୁ ଫେରସ୍ତ ଦେବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ହିଣ୍ଡାଲକୋ ହୀରାକୁଦ ଉକ୍ତ ଅଞ୍ଚଳର ଜନସାଧାରଣଙ୍କୁ ଏକ ଉତ୍ତମ ମାନର ଜୀବନ ଜୀଇଁବା ସୁଯୋଗ ଦେବାକୁ ସ୍ୱାସ୍ଥ୍ୟସେବା, ଶିକ୍ଷା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଭିତ୍ତିଭୂମିର ବିକାଶ ଏବଂ ମହିଳା ସଶକ୍ତିକରଣ ଆଦି କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛି । 

 

Leave A Reply

Your email address will not be published.