ରାଜ୍ୟ ବାହାରେ ଇକ୍‌ମୋ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ : ପ୍ରଦୀପ ମାଝୀ

0
  • କରୋନା ମୃତ୍ୟୁକୁ ସରକାର ଲୁଚାନ୍ତୁ ନାହିଁ

  • ପ୍ରତି କରୋନା ମୃତକଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦିଅନ୍ତୁ

ଭୁବନେଶ୍ୱର- ସଂପ୍ରତି ରାଜ୍ୟରେ ଇକ୍‌ମୋ ମେସିନ ନଥିବାରୁ ବହୁ କରୋନା ରୋଗୀ ବାଧ୍ୟ ହୋଇ ରାଜ୍ୟ ବାହାରକୁ  ଯାଉଛନ୍ତି । ରାଜ୍ୟ ବାହାରେ ଏହି ଇକ୍‌ମୋ ଚିକିତ୍ସା ବହୁତ ବ୍ୟୟ ବହୁଳ ଯାହାକୁ ଭରଣା କରିବା ସାଧାରଣ ବର୍ଗର ରୋଗୀଙ୍କ ପାଇଁ  ସମ୍ଭବ ନୁହେଁ । ବର୍ତମାନ ଅମ୍ରିତ ପ୍ରଧାନ, ଇଂ ଦୀପକ ଦାସ, ଦିବ୍ୟରଞ୍ଜନ ଅଭିଶେକ ମହାପାତ୍ର, ସଂଗ୍ରାମ ଜେନା ପ୍ରମୁଖ  ଯୁବକମାନେ ବାହାର ରାଜ୍ୟକୁ ଯାଇଁ ଚିକିତ୍ସିତ ହେଉଛନ୍ତି ଏବଂ ସମୀର ପ୍ରଧାନ ଆଉ ଅନେକ ଯୁବକ ଇକ୍‌ମୋ ମେସିନ ଅଭାବରୁ  ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଛନ୍ତି । ତୁରନ୍ତ ସରକାର ସେମାନଙ୍କୁ ବାହାରକୁ ପଠାଇବା ବ୍ୟବସ୍ଥା କରିବାକୁ ଓ ଏମାନଙ୍କ  ପାଇଁ ତଥା ଏହି ଭଳି ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦେବାପାଇଁ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି । ବର୍ତମାନ କରୋନା ଅନେକ ପ୍ରତିଭାବାନ ଯୁବକମାନଙ୍କର ଜୀବନ ନେବାରେ ଲାଗିଛି । କରୋନା ମହାମାରୀ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମକୋର୍ଟ ନିଜ ଆଡ଼ୁ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର ସୁବା ରେଡ଼ି, ଜଷ୍ଟିସ ସାହାଙ୍କୁ ନେଇ ଗଠନ କରିଥିବା ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଭାରତର ସମ୍ବିଧାନ ଅନୁଛେଦ-୨୧ ଅନୁସାରେ ଉଲ୍ଲେଖ ଥିବା ସ୍ୱାସ୍ଥ୍ୟ ମୌଳିକ ଅଧିକାର ଏବଂ ରୋଗୀଙ୍କୁ ମହାମାରୀ ସମୟରେ ସୁଲଭ ମୂଲ୍ୟରେ ସବୁ ପ୍ରକାର ଚିକିତ୍ସା ଯୋଗାଇଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଧାନ ଦାୟିତ୍ୱ । ତେଣୁ ମାନ୍ୟବର ସୁପ୍ରିମକୋର୍ଟକୁ ସମ୍ମାନ ଜଣାଇ ସେମାନଙ୍କ ଜୀବନ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଓ ମାନବିକତାର ହାତ ବଢ଼ାନ୍ତୁ ବୋଲି ଶ୍ରୀ ମାଝୀ ନିବେଦନ କରିଛନ୍ତି ।

 କେନ୍ଦ୍ର ସରକାରଙ୍କର ଟୀକାକରଣ ନୀତିକୁ କଟାକ୍ଷ କରି ଶ୍ରୀ ମାଝୀ କହିଛନ୍ତି ଯେ ଚଳିତ ମାସ ୮ ତାରିଖରେ ୭୪ କୋଟି ଟୀକା ପାଇଁ କେନ୍ଦ୍ର ସରକାର ଅର୍ଡର କରିଛନ୍ତି । ତା’ର ଅର୍ଥ ହେଲା ଗତ ୮ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଟୀକା ପ୍ରସ୍ତୁତି ପାଇଁ ସେମିତି ପଦକ୍ଷେପ ନେଇନଥିଲେ । ସୁପ୍ରିମକୋର୍ଟର ତାଗିଦ ଏବଂ ବିରୋଧୀ ଦଳମାନଙ୍କର ଦାବୀ ଫଳରେ ବାଧ୍ୟ ହୋଇ ଏହି ଅର୍ଡ଼ର କରିଛନ୍ତି । ଏହା କେନ୍ଦ୍ର ସରକାରଙ୍କର ଟୀକାକରଣ ପ୍ରତି ଅବହେଳାର ନିଦର୍ଶନ ବୋଲି ଶ୍ରୀ ମାଝୀ କହିଛନ୍ତି । ବର୍ତମାନ ଯେଉଁ ହାରରେ ଦୈନିକ ଟୀକାକରଣ ଚାଲିଚି ତାକୁ ଦୃଷ୍ଟିକୁ ନେଲେ ୭୪ କୋଟି ଡୋଜ କେବେ ଲୋକଙ୍କୁ ଦିଆଯିବ ତାହା ନେଇ ଶ୍ରୀ  ମାଝୀ ମଧ୍ୟ ସଂଶୟ ପ୍ରକାଶ କରିଛନ୍ତି । ଦେଶରେ ଆଜିର କରୋନା ମହାମାରୀ ଜନିତ ବିକଳ୍ପ ଅବସ୍ଥା ପାଇଁ କେନ୍ଦ୍ରର ନରେନ୍ଦ୍ର  ମୋଦିଙ୍କ ସରକାରଙ୍କୁ ଦାୟୀ କରି କରିଛନ୍ତି ଦେଶବାସୀ କେନ୍ଦ୍ର ସରକାରଙ୍କ ଏହି ଅବହେଳା ଏବଂ ଅପରିଣାମ ଦର୍ଶିତାକୁ କେବେ ହେଲେ କ୍ଷମା ଦେବେ ନାହିଁ । 

      ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଯୋଗଦେଇ ସରକାରଙ୍କ କୋଭିଡ଼ ମୃତ୍ୟୁକୁ ନେଇ ମିଥ୍ୟା ତଥ୍ୟ ଉପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ବର୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୩୨୫୭ ଜଣ କରୋନାରେ ମୃତ୍ୟୁ ହୋଇଛି । କିନ୍ତୁ ରାଜ୍ୟରେ ମଶାଣୀ ଗୁଡ଼ିକରେ ହିସାବ ଖାତା ଗୁଡ଼ିକୁ ଦେଖିଲେ, ତାହା ବହୁଗୁଣ କରିବ ଏବଂ ସରକାର ମିଛ କହୁଛନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ । ଗତ ମେ ୧ ରୁ ୧୫ ତାରିଖ ଭିତରେ ଭୁବନେଶ୍ୱରର ସତ୍ୟନଗର ମଶାଣୀ ଓ କଟକର ସତୀଚଉରା ମଶାଣୀରେ ଯଥାକ୍ରମେ ୬୫୦ ଓ ୪୬୦ ଜଣଙ୍କ ଶବ ଦାହ ହୋଇଥିଲା । ମାତ୍ର ସେହି ସମୟରେ  ରାଜ୍ୟ ସରକାରଙ୍କ ପୋଟାଲ କହେ କରୋନା ମୁତ୍ୟୁ ସଂଖ୍ୟା ୩୯୫ ଦର୍ଶାଇଲା ରାଜ୍ୟର ବିଭିନ୍ନ ମଶାଣୀ ଗୁଡ଼ିକରେ ମୃତ୍ୟୁ ସଂଖ୍ୟା ଥିଲା ୨୦୦୦ । ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ କେବଳ ସତ୍ୟନଗର ମଶାଣୀରେ ୧୨୮୮ ଟି ଜୁଇ ଜଳିବାର ଆରଟିଆଇ ରିପୋର୍ଟରେ ତଥ୍ୟ ହସ୍ତଗତ ହୋଇଛି । ମାତ୍ର ସେହି ମାସରେ ରାଜ୍ୟ ସରକାର ପୁରା ରାଜ୍ୟରେ ମାତ୍ର ୯୫ ଜଣ କରୋନାରେ ମରିଥିଲେ ବୋଲି ଦର୍ଶାଇଥିଲେ । ବାସ୍ତବରେ ସରକାର ସତ୍ୟକୁ ଲୁଚାଇଛନ୍ତି ଏବଂ ପ୍ରକୃତ କରୋନା ମୃତ୍ୟୁ ସଂଖ୍ୟାକୁ  ଲୋକଙ୍କୁ ଜଣାଇ ନାହାନ୍ତି । ଏହା ଏକ ଅପରାଧ ଏବଂ ତଥ୍ୟ ଲୁଚାଇବା ବା ଚାପି ଦେବା ଆଉ ଏକ ବିପର୍ଯ୍ୟୟର କାରଣ ହୋଇଥାଏ । କଂଗ୍ରେସ ପକ୍ଷରୁ କରୋନାରେ ମୃତକ ପରିବାରକୁ ବିହାର ସରକାର ପରି ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା  ପାଇଁ ଶ୍ରୀ ଦାସ ଦାବି କରିଥିଲେ ।

Leave A Reply

Your email address will not be published.