ପୋଲସରା /ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୃକ୍ଷ ହିଁ ଜୀବନ। ବୃକ୍ଷ ଓ ଜଙ୍ଗଲ ଧ୍ୱଂସ ପାଇବା ଯୋଗୁଁ ଗ୍ରୀଷ୍ମର ପ୍ରଚଣ୍ଡ ନିଆଁରେ ଜଳଛୁ ସାରା ବିଶ୍ୱ ଓ ଅସ୍ତବ୍ୟସ୍ତ ହୋଇପଡୁଛି ଜୀବ ଜଗତ । ସେଥିପାଇଁ ପରିବେଶର ସୁରକ୍ଷା ଓ ପ୍ରଦୂଷଣର ନିୟନ୍ତ୍ରଣ ପାଇଁ ସମଗ୍ର ବିଶ୍ୱ ଆଜି ତପ୍ତର । ସରକାରୀ ଓ ବେସରକାରୀ ଭାବେ ଗଛଟିଏ ଲଗାଇବା ପାଇଁ ନିଆଯାଉଛି ବିଭିନ୍ନ ଯୋଜନା। କେତେକ ପରିବେଶ ପ୍ରେମୀ ବ୍ୟକ୍ତିଗତ ଉଦ୍ୟମରେ ବୃକ୍ଷ ରୋପଣ କରିବା ଏକ ମହତ କାର୍ଯ୍ୟ ଭାବି ଗଛ ରୋପଣ କରି ରକ୍ଷଣାବେକ୍ଷଣ କରିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲା ପୋଲସରା ସହରର ପଦ୍ମନାଭ ପ୍ରଧାନ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଶ୍ରୀ ପ୍ରଧାନ ବହୁ ମୂଲ୍ୟବାନ ଗଛ ଲଗାଇ ସବୁଜ ବଳୟ ମଧ୍ୟରେ ଅମ୍ଳଜାନର ସଞ୍ଜୀବନୀ ସୃଷ୍ଟି କରିଛନ୍ତି ପୋଲସରା ସହର ମଧ୍ୟରେ। ଗତ ୪ ବର୍ଷ ଧରି ନିଜର ବହୁ ମୂଲ୍ୟ ସମୟ ଓ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ରକମର ମୂଲ୍ୟବାନ ଗଛ ଲଗାଇବା ସହ ପୋଲସରା ସହରକୁ ସବୁଜ ସୁନ୍ଦର କରିବା ପାଇଁ ମୁଖ୍ୟ ସଡ଼କର ଡିଭାଡ଼ର୍ ମଝିରେ ୨୦୦ ରୁ ଉର୍ଦ୍ଧ୍ବ ବାଦାମ ଗଛ ଲଗାଇଛନ୍ତି। ପୋଲସରା ତହସିଲ ଛକ ଠାରୁ ଆରମ୍ଭ କରି ବ୍ରାହ୍ମଣ ସାହି , ବଜାର ସାହି , ବସଷ୍ଟାଣ୍ଡ, ମେଡ଼ିକାଲ ଛକ ପ୍ରଭୃତି ସ୍ଥାନରେ ବିଭିନ୍ନ ରକମର ମୂଲ୍ୟବାନ ଗଛ ଲଗାଇ ସେଗୁଡିକର ଯତ୍ନ ନେବାରେ ନିତି ଦିନଆ ଅଭ୍ୟାସ ଗତରେ ପରିଣତ କରିଛନ୍ତି ପଦ୍ମନାଭ ବାବୁ। ଏଥି ମହତ କାର୍ଯ୍ୟ ପାଇଁ ସେ କାହାରି ଠାରୁ କୌଣସି ଅର୍ଥ ଗ୍ରହଣ କରି ନଥିବା ବେଳେ ନିଜ ପ୍ରଚେଷ୍ଟାରେ ଗଛ ଲଗାଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଗଛ ହିଁ ଜୀବନ କୁ ପାଥେୟ କରି ପ୍ରତ୍ୟେକ ଲୋକଙ୍କୁ ଗଛର ମହତ୍ତ୍ଵ ଉପରେ ସଚେତନତା ସୃଷ୍ଟି କରିବାରେ ଲାଗିପଡିଛନ୍ତି। ଆଜିର କରୋନା ମହାମାରୀ ସମୟରେ ଅମ୍ଳଜାନ ପାଇଁ ଯେଉଁ ପ୍ରକାର ହାହାକାର ସୃଷ୍ଟି ହୋଇଛି ସେହି ଅମ୍ଳଜାନ ଆମେ ବୃକ୍ଷ ଠାରୁ ହିଁ ପାଇଥାଉ। ସରକାର ବହୁ ଅର୍ଥ ଖର୍ଚ୍ଚ କରି ନୂତନ ଜଙ୍ଗଲ ସୃଷ୍ଟି କାରିବାରେ ସଫଳ ହେଉନଥିବା ବେଳ ପଦ୍ମନାଭ ପ୍ରଧାନ ସ୍ବ ଅର୍ଜିତ ଅର୍ଥରେ ଶହଶହ ମୂଲ୍ୟବାନ ଗଛ ଲଗାଇ ପୋଲସରା ଓ ଏହାର ଆଖପାଖ ଅଞ୍ଚଳରେ ସବୁଜ ମଣିଷ ଭାବରେ ପରିଚିତ ହୋଇଛନ୍ତି । ଗଛ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ପାଇଁ ସେ କିଛି ଲୋକଙ୍କୁ ଅର୍ଥ ପ୍ରଦାନ କରି ନିୟୋଜିତ କରିଛନ୍ତି। ସବୁଜ ମଣିଷ ପଦ୍ମନାଭ ପ୍ରଧାନଙ୍କୁ ଯଦି ସରକାରୀ ସହଯୋଗ ମିଳନ୍ତା ତେବେ ଆଗାମୀ ଦିନରେ ପୋଲସରା ସହର ସମେତ ଅଞ୍ଚଳରେ ବୃକ୍ଷ ରୋପଣ ହୋଇ ସବୁଜ ପରିବେଶରେ ପରିଣତ ହୋଇ ପାରନ୍ତା ବୋଲି ଆଶା କରାଯାଉଛି।
Sign in
Sign in
Recover your password.
A password will be e-mailed to you.
Next Post