ଭଞ୍ଜନଗର (ନିଲୁ ବିଷୋୟୀ ) – ବାପା ମାଆ,ସ୍ତ୍ରୀ ପିଲା ଛୁଆ କୁ ନେଇ ପାଞ୍ଚପ୍ରାଣୀ କୁଟୁମ୍ବ ଆଉ ବୁଢାକାଳେ ପୁଅ ସହାୟ ହେବ ବୋଲି ବାପା ମା ଆଶା ରଖିଥିଲେ ହେଲେ ଦଇବ ଦାଉସାଧିଲା । ଚଳ ପ୍ରଚାଳ ହେବାକୁ ଏବେ ବାପା ମାଆ ଙ୍କ ବଳ ପାଉନି ଆଉ ଭେଣ୍ଡିଆ ପୁଅ ଏବେ ରୋଗ ଶଯ୍ୟାରେ । ପ୍ରତି ୩ଦିନକୁ ଥରେ ଚିକିତ୍ସା ପାଇଁ ଆବଶ୍ୟକ ହେଉଛି ଚାରିହଜାର ଟଙ୍କା। ଏଭଳି ପରିସ୍ଥିତି ରେ ଚିକିତ୍ସା ପାଇଁ ପରିବାର ଲୋକେ ଘରେ ଥିବା ଟଙ୍କା ସହ ଜମିବାଡ଼ି , ସୁନା ଅଳଙ୍କାର ସବୁ ସାରିଦେଲେଣି । ଏବେ କେବଳ ସରକାରୀ ସହାୟତା କୁ ଅପେକ୍ଷା । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କ୍ଷେତ୍ରୟବରପୁର ନିକଟ ବାଘୁଅପଲ୍ଲୀ ଗ୍ରାମର ଉପେନ୍ଦ୍ର କୁମାର ଗୌଡ଼ । ୩୬ ବର୍ଷ ବୟସରେ ନିଜ ଶରୀରର ଦୁଇ କିଡିନି ହରାଇ ବସିଛନ୍ତି ।ରେଜଗାର କରି ପରିବାର ବୋଝ କୁ ସମ୍ଭାଳିବା ବୟସରେ ଏବେ ସେ ପରିବାର ପାଇଁ ବୋଝ ହୋଇଯାଇଛନ୍ତି । ଉପେନ୍ଦ୍ର ରାଜ୍ୟ ବାହାର ବେଙ୍ଗାଳୁରୁ ରେ ଦାଦନ ଖଟି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ତିନି ବର୍ଷ ପୂର୍ବେ ଦିନେ ହଠାତ ଅସୁସ୍ଥ ହୋଇପଡି ଥିଲେ କାମଧନ୍ଦା କରିବାକୁ ଶରୀର ସାଥ ଦେଇନଥିଲା। ଫଳରେ ସେ ଗାଁ କୁ ଫେରିଆସି ସ୍ବାସ୍ଥ୍ୟ ପରୀକ୍ଷାରୁ ନିଜ ଦୁଇ କିଡନୀ ଅକାମି ହୋଇପଡିଥିବା ଜାଣିବା ପରେ ପରିବାର ସଦସ୍ୟ ଙ୍କ ମୁଣ୍ଡ ଉପରେ ଦୁଃଖର ପାହାଡ଼ ଛିଡା ହୋଇଗଲା। ୩ବର୍ଷର ଚିକିତ୍ସା ଭିତରେ ନିଜର ସର୍ବସ୍ବ ସମ୍ବଳ ଏପରିକି ଜମିବାଡ଼ି, ସୁନା, ସବୁ ସାରିଦେଲେଣି । ଏବେ ପ୍ରତି ସପ୍ତାହ ରେ ଦୁଇଥର ଡାଇଲୋସିସ ପାଇଁ କଟକ ଯିବାକୁ ପଡୁଛି । ଯେଉଁଥିରେ ସର୍ବ ନିମ୍ନ ଚାରିହଜାର ଟଙ୍କା ଆବଶ୍ୟକ ହେଉଛି । ଚିକିତ୍ସା ପାଇଁ ଅର୍ଥ ବାଧକ ହୋଇଥିବା ବେଳେ ସାହି, ପଡୋଶୀ,ସମାଜ, ସମ୍ପର୍କୀୟ ମାନଙ୍କ କିଛି କିଛି ଆର୍ଥିକ ସହାୟତାରେ ଆଜିଯାଏ ଯେନ ତେନ ପ୍ରକାରଣ ଚଳି ଆସୁଥିବା ବେଳେ ଆଗକୁ କଣ ହେବ ତାକୁନେଇ ବାପା ବିଶ୍ୱନାଥ ଗୌଡ଼ ଓ ପରିବାର ଚିନ୍ତିତ । ଅର୍ଥାଭାବରୁ ଦୁଇ ପିଲାଙ୍କ ପାଠ ପଢ଼ାରେ ମଧ୍ୟ ଡୋରି ବନ୍ଧା ହୋଇଗଲାଣି । ଆଗକୁ ପରିବାରର ଅବସ୍ଥା କଣ ହେବ ତାହାକୁ ନେଇ ପରିବାରର ପାଞ୍ଚପ୍ରାଣୀ ଏବେ ଚିନ୍ତା ରେ ଦିନ କାଟୁଛନ୍ତି । ସରକାର କିମ୍ବା କୋୖଣସି ବଦାନ୍ୟ ବ୍ୟକ୍ତି ସହଯୋଗ ର ହାତ ବଢାଇଲେ ପରିବାର ଟି ଦୁଃଖ ସାମାନ୍ୟ ଲାଘବ ହୋଇପାରିବ ବୋଲି ସାହି ବାସିନ୍ଦା ଆଶା ପୋଷଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.