ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଶ୍ରୀମୟୀଙ୍କ ସ୍ବାଗତ, ସିଏମଆରଏଫକୁ ଦେଲେ  ୧ଲକ୍ଷ 

0 2

ଭୁବନେଶ୍ୱର: ରାଜ୍ୟର ୧୮ବର୍ଷ ବୟସରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ୍ ଟିକା ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଐତିହାସିକ ଘୋଷଣା କରିଛନ୍ତି। କରୋନା ମହାମାରୀରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ବାସ୍ତବରେ ସ୍ବାଗତଯୋଗ୍ୟ ଓ ବର୍ତ୍ତମାନ ସମୟର ସବୁଠୁ ବଡ଼ ଆବଶ୍ୟକତା ବୋଲି ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତି।

ଶ୍ରୀମତୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାର ସାଢେ଼ ଚାରି କୋଟି ଲୋକଙ୍କୁ ନିଜର ପରିବାର ସଦସ୍ୟ ବୋଲି ଭାବି ସେମାନଙ୍କୁ ଏହି କୋଭିଡ୍ ମହାମାରୀରୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଅନେକ ଲୋକ କଲ୍ୟାଣ ପଦକ୍ଷେପ ନେଉଥିବା ବେଳେ ପରିବାରର ମୁଖିଆ ଭାବେ କୋଭିଡ୍ ଗାଇଡ ଲାଇନ ପାଳିବାକୁ ରାଜ୍ୟବାସୀଙ୍କୁ କ୍ରମାଗତ ଅନୁରୋଧ କରୁଛନ୍ତି। ସରକାର ସାମୂହିକ ଟିକାକରଣ ମାଧ୍ୟମରେ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଥିବାବେଳେ ଆମେ ସଚେତନ ନାଗରିକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତିରେ ସହଯୋଗର ହାତ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। 

ଶ୍ରୀମତୀ ମିଶ୍ର ନିଜେ ଅନଲାଇନ୍ ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରି କୋଭିଡ୍ ମହାମାରୀ ମୁକାବିଲାରେ ନିଜର ଭାଗିଦାରୀ ଦେଇଛନ୍ତି। ଏହାସହିତ ଏହି କୋଭିଡ୍ ମହାମାରୀ ମୁକାବିଲାରେ ଭାଗିଦାର ହୋଇ ଆମ ରାଜ୍ୟକୁ କରୋନାମୁକ୍ତ କରିବା ନିମନ୍ତେ ଅନ୍ୟମାନେ ଆଗେଇ ଆସିବାକୁ ଶ୍ରୀମତୀ ମିଶ୍ର ଅନୁରୋଧ କରିଛନ୍ତି।

Leave A Reply

Your email address will not be published.