ସଟ୍ ଡାଉନ୍ ପେଟ୍ରୋଲିଂ ବେଳେ ପାରଳା ପୋଲିସର ମାନବିକତା ପୂର୍ଣ୍ଣ କାର୍ଯ୍ୟ 

0 2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ସପ୍ତାହାନ୍ତ ସଟଡାଉନର ଆଜି ଦ୍ଵିତୀୟ ଦିନରେ ପାରଳା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମାନବିକତା ପୂର୍ଣ୍ଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ଆଜି ସାପ୍ତାହନ୍ତ ସଟଡାଉନର ପୂର୍ବାହ୍ନ ସମୟରେ ପାରଳା ପୋଲିସ ପକ୍ଷରୁ ଜୋରଦାର ଭାବେ ପେଟ୍ରୋଲିଂ ଚାଲିଥିଲା । ପେଟ୍ରୋଲିଂ ଦଳ ଓଡିଶା-ଆନ୍ଧ୍ର ସୀମାନ୍ତ ପୁରୁଣାପାଟଣା ନାକା-ଗେଟ ପଏଣ୍ଟ ଠାରେ ପରିସ୍ଥିତି ଅନୁଧ୍ୟାନ କରି ଫରେଷ୍ଟ ଗେଟ ଆଡକୁ ଯାଉଥିଲେ । 

ଠିକ୍ ଏହି ସମୟରେ ବାଟରେ ଜିଲ୍ଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ସମ୍ମୁଖରେ ଥିବା ଶିବ ମନ୍ଦିର ଠାରେ ଠିଆ ହୋଇଥିବା ଜଣେ ବୟସ୍କ ବ୍ୟକ୍ତି କୌଣସି କାରଣ ବଶତଃ ସେଠାରେ ଥିବା ନବନିର୍ମିତ ବଡ଼ ନାଳରେ ଗୋଡ଼ଖସି ପଡି ଯାଇଥିଲେ ।

 ଠିକ୍ ଏହି ସମୟରେ ସେହି ବାଟ ଦେଇ ଯାଉଥିବା ପେଟ୍ରୋଲିଂ ଦଳର ତଥା ପାରଳା ଆଦର୍ଶ ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ବାଇଁ ବୟସ୍କ ବ୍ୟକ୍ତି ନାଳରେ ପଡିଯିବା ଦେଖି ଗାଡି ଅଟକାଇ ସଙ୍ଗେ ସଙ୍ଗେ ସେଠାକୁ ଦୌଡ଼ି ଯାଇ ବୟସ୍କ ବ୍ୟକ୍ତିଙ୍କୁ ଅନ୍ୟ ମାନଙ୍କ ସହିତ ମିଶି ନାଳରୁ ଉଦ୍ଧାର କରିଥିଲେ । ବୟସ୍କ ବ୍ୟକ୍ତି ଜଣକ ନାଳରେ ପଡିଯିବା ଫଳରେ ତାଙ୍କ ଗୋଡ ଭାଙ୍ଗି ଯାଇଥିବା ସହ ପାଦ ଉପର ଯଏଣ୍ଟ ହାଡ଼ ବାହାରି ପଡିଥିବା ଭଳି ପ୍ରାୟ  ଦେଖା ଯାଉଥିଲା । 

ବୟସ୍କ ବ୍ୟକ୍ତିଙ୍କୁ ନାଳରୁ ଉଦ୍ଧାର କରାଯିବା ପରେ ସେଠାରେ ହିଁ ସାମାନ୍ୟ ଭାବେ ପ୍ରାଥମିକ ଚିକିତ୍ସା କରି କନା ଗୋଡ଼ାଇ ସେଠାରେ ଥିବା ଅତିରିକ୍ତ ଏସପି ଶ୍ରୀ ବାମଦେବ ସିଂହ ଏବଂ ଆଇଆଇସି ଶ୍ରୀ ବିବେକା ନନ୍ଦ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ବୟସ୍କ ବ୍ୟକ୍ତିଙ୍କୁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଟେକି ଟେକି ନେଇ ଏକ ଅଟୋ-ଗାଡିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।

 ପାରଳା ପୋଲିସର ଏଭଳି ମାନବୀୟ କାର୍ଯ୍ୟ ପ୍ରତି ଅଞ୍ଚଳ ଲୋକଙ୍କ ସମେତ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରି ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.