ଜିଲ୍ଲାରେ ପ୍ରବେଶ କରିବାକୁ ହେଲେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ପ୍ରମାଣ ପତ୍ର କିମ୍ବା କରୋନା ପରୀକ୍ଷାର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
ସମସ୍ତ ଅନ୍ତଃରାଜ୍ୟ ବସ୍ ସେବା ଆସନ୍ତା ୧୯-୪-୨୦୨୧ ତାରିଖରୁ ବନ୍ଦ ରହିବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୟାବହ ମହାମାରୀ କରୋନାର ଦ୍ବିତୀୟ ଲହରୀ ରାଜ୍ୟର ସମସ୍ତ ଜିଲ୍ଲାରେ ଆରମ୍ଭ ହେବା ସହ ଗଜପତି ଜିଲ୍ଲାରେ ମଧ୍ୟ ତାହା କାୟା ବିସ୍ତାର କାର୍ଯ୍ୟ ଆରମ୍ଭ କରିଛି।
ଏହାକୁ ଆଖିଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ସମସ୍ତ ଆନ୍ତଃରାଜ୍ୟ ସୀମାରେ ଚେକ୍ ପୋଷ୍ଟ ତିଆରି କରିଛି। ଏହି ଚେକ୍ ପୋଷ୍ଟ 24×7 କାର୍ଯ୍ୟରତ। ଏହି ଦ୍ବାର ଦେଇ ସମସ୍ତ ଯିବାଆସିବା ଉପରେ ରୋକ୍ ଲଗାଯାଇଛି। କେବଳ ଯେଉଁ ମାନେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବେ କିମ୍ବା କରୋନା ପରୀକ୍ଷାର ନେଗେଟିଭ୍ ରିପୋର୍ଟ ଦେଖାଇବେ ସେହି ମାନଙ୍କୁ ହଁ ଏହି ଦ୍ବାର ଦେଇ ପ୍ରବେଶ କରିବାକୁ ଅନୁମତି ଦିଆଯିବ।
ଯେଉଁ ମାନେ ଉପରୋକ୍ତ ନଥିପତ୍ର ଦେଖାଇ ପାରିବେ ନାହିଁ ସେହିମାନଙ୍କ ପାଇଁ ୭ ଦିନିଆ ଘରୋଇ ସଂଗରୋଧ ନିର୍ଦ୍ଦେଶ ଜାରି କରାଯିବ । ଅନ୍ୟ ପଟେ ଦେଖାଯାଉଛି ଯେ ଓଡ଼ିଶାର କିଛି ଛାତ୍ର ଛାତ୍ରୀ ଆନ୍ଧ୍ରପ୍ରଦେଶର ଅଞ୍ଚଳରେ ଥିବା ସ୍କୁଲରେ ପଢିବା ପାଇଁ ପ୍ରତିଦିନ ଯିବାଆସିବା କରନ୍ତି । ଏଥିପାଇଁ ସଂପୃକ୍ତ ଅଭିଭାବକ ମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ତାଙ୍କ ପୁଅ ଏବଂ ଝିଅକୁ ସ୍କୁଲକୁ ନ ପଠାଇ ଘରେ ରଥି ଶିକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରନ୍ତୁ।
ଏହା ମଧ୍ୟ ନଜରକୁ ଆସିଛି ଯେ କିଛି ସରକାରୀ ଏବଂ ବେସରକାରୀ କର୍ମଚାରୀ ପାତପାଟନମ୍ ରେ ରହି ପାରଳାଖେମୁଣ୍ଡି ଯିବା ଆସିବା କରନ୍ତି। ସେହିମାନେ ମଧ୍ୟ ଯିବା ଆସିବା କଲାବେଳେ ଉପରୋକ୍ତ ନଥିପତ୍ର ଦେଖାଇବେ କିମ୍ବା ୭ ଦିନିଆ ଘରୋଇ ସଂଗରୋଧରେ ରହିବେ।
ମାସ୍କ ପରିଧାନ ଉପରେ କଡାକଡି ଭାବରେ ଯାଞ୍ଚ କରାଯିବ। ସମସ୍ତ ଅନ୍ତଃରାଜ୍ୟ ବସ୍ ସେବା ଆସନ୍ତା ୧୯-୪-୨୦୨୧ ତାରିଖରୁ ବନ୍ଦ ରହିବ । ଶେଷରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଅନୁରୋଧ କରୁଛି ଯେ ଉପରୋକ୍ତ କାର୍ଯ୍ୟରେ ସହଯୋଗ କରି ଜିଲ୍ଲାକୁ କରୋନା ମୁକ୍ତ କରାନ୍ତୁ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।