ଝାରସୁଗୁଡ଼ା ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ। 

3

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲାର ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗରରେ ଆସନ୍ତା ୧୭ ଏପ୍ରିଲରୁ ଲାଗୁ ହେବାକୁ ଥିବା ରାତ୍ରିକାଳୀନ କର୍ଫ୍ୟୁ ବିଷୟରେ ସମସ୍ତ ଜନସାଧାରଣଙ୍କୁ ସୂଚିତ କରି ଦିଆଯାଇଛି। କୋରୋନା ଭୂତାଣୁର ଦ୍ବିତୀୟ ଲହରୀ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଓ ରାଜ୍ୟ ସରକାରଙ୍କ ଆଦେଶ ମୁତାବକ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। 

ଜିଲ୍ଲା ପ୍ରଶାସନର ଘୋଷଣା ଅନୁଯାୟୀ ଆସନ୍ତା ୧୭ ତାରିଖରୁ ଝାରସୁଗୁଡ଼ା ଜିଲ୍ଲାରେ ସମସ୍ତ ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିବ। ଏହି ରାତ୍ରିକାଳୀନ କର୍ଫ୍ୟୁ ସଂଧ୍ୟା ୬ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ କେବଳ ଅନୁମତିପ୍ରାପ୍ତ ଅନୁଷ୍ଠାନ ବ୍ୟତୀତ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ ରହିବ। ଏହାବ୍ୟତୀତ ଏପ୍ରିଲ ମାସରେ ଶନିବାର ଓ ରବିବାର ଦିନ ସମ୍ପୂର୍ଣ୍ଣ ଭାବରେ ସଟଡାଉନ ରହିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ବିବାହ, ବ୍ରତ ଭଳି ସାମାଜିକ କାର୍ଯ୍ୟକ୍ରମରେ କେବଳ ୫୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୨୦ ଜଣ ଯୋଗ ଦେଇ ପାରିବେ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ସ୍ଥାନୀୟ ଥାନାଧିକାରୀଙ୍କ ପାଖରୁ  ସ୍ବତନ୍ତ୍ର ଭାବରେ ଅନୁମତି ନେବାକୁ ହେବ। ସମସ୍ତ ପ୍ରକାରର ଧାର୍ମିକ,ସାମାଜିକ, ସାଂସ୍କୃତିକ,ରାଜନୈତିକ,ଶିକ୍ଷାଗତ ବା ଅନ୍ୟାନ୍ୟ ଆନୁଷ୍ଠାନିକ ସଭାସମିତିର ଆୟୋଜନ କରାଯାଇ ପାରିବ ନାହିଁ ବୋଲି ସୂଚନା ଦିଆଯାଇଛି। କୌଣସି ପ୍ରକାରର ଶୋଭାଯାତ୍ରା ଅନୁଷ୍ଠିତ କରିବାକୁ ମଧ୍ୟ ବାରଣ କରାଯାଇଛି। ଅଟୋ ବା ଟ୍ୟାକ୍ସି ଗୁଡ଼ିକ ପ୍ୟାସେଞର ଓ ଡ୍ରାଇଭର ମଧ୍ୟରେ ବିଭାଜିକା ବ୍ୟବହାର କରିବାକୁ ଓ ନିର୍ଦ୍ଧାରିତ ସଂଖ୍ୟକ ଯାତ୍ରୀ ନେଇ ଯାଇ ପାରିବେ ବୋଲି ସୂଚନା ଦିଆଯାଇଛି। 

ପ୍ରଶାସନ ପକ୍ଷରୁ କୋଭିଡ ନିୟମର ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.